
ଟିଟିଲାଗଡରୁ ସିନ୍ଧେକେଲା ଯିବା ରାସ୍ତା ଡିଆଟନ ପୋଲ ଭାରିଯାନ ଚଳାଚଳ ପାଇଁ ବନ୍ଦ ନିର୍ଦ୍ଦେଶ : ଯାତାୟତ ପାଇଁ ବିକଳ୍ପ ବ୍ୟବସ୍ଥା
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସିନ୍ଧେକେଲା ରାସ୍ତାରେ ଥିବା ଡିଆଟନ୍ ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ । ତଞ୍ଜୋର ନାଳା ଉପରେ ନିର୍ମିତ ଏହି ପୋଲରେ ବେୟାରିଂ ଭାଙ୍ଗିଯିବା, ଗର୍ଡର ଓ କ୍ରସ୍ ବିମ୍ରେ ଗଭୀର ଫାଟ, କଂକ୍ରିଟ ଖସିଯିବା, ରଡ୍ ବାହାରକୁ ଆସି କ୍ଷୟ ହେବା ସହ ସ୍ପାନ୍–୩ ବସିଯାଇଥିବା ଭଳି ଗୁରୁତର ତ୍ରୁଟି ଚିହ୍ନଟ ହୋଇଛି । କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ରିପୋର୍ଟ ପରେ ପୋଲଟି ଉପରେ ଭାରୀ ଯାନବାହନ ଚଳାଚଳ ଜାରି ରହିଲେ ଦୁର୍ଘଟଣାର ଆଶଙ୍କା ଥିବା କୁହାଯାଇଛି । ଜନସୁରକ୍ଷାକୁ ଦୃଷ୍ଟିରେ ରଖି ମୋଟର ଯାନ ଆଇନ–୧୯୮୮ର ଧାରା ୧୧୫ ଏବଂ ଓଡ଼ିଶା ମୋଟର ଯାନ ନିୟମାବଳୀ–୧୯୯୩ର ନିୟମ ୧୭୩ ଅନୁଯାୟୀ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଡିଆଟନ୍ ପୋଲ ଉପରେ ଯାତାୟତ ଉପରେ ତୁରନ୍ତ ପ୍ରଭାବରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଟକଣା ଲାଗୁ କରିଛନ୍ତି । ଯାନବାହନଗୁଡ଼ିକୁ ଖୋଲାନ–ଲିମ୍ପାଡ଼ା ପୋଲ–ଡାଙ୍ଗରପଡ଼ା–କୁସକେଲା–ଡିଗସିରା–ସାଲେପଡ଼ା–ଚାନ୍ଦାଟୋରା ଦେଇ ସିନ୍ଧେକେଲାକୁ ଯିବା ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି କଟକଣା ଜୁନ୍ ୩୦ ତାରିଖରୁ କାର୍ଯ୍ୟକାରୀ ହୋଇଛି । ଆଦେଶର ନକଲ ଏସ୍ପି, ଉପ-ଜିଲ୍ଲାପାଳ, ଏସ୍ଡିଏମ୍, ଆର୍ଟିଓ, ଅଧୀକ୍ଷଣ ଯନ୍ତ୍ରୀ, ଏସ୍ଡିପିଓ ଓ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ପଠାଯାଇଛି । ବିକଳ୍ପ ମାର୍ଗରେ ସୂଚାରୁ ଯାତାୟତ ସୁନିଶ୍ଚିତ କରିବା ସହ ଆଦେଶକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
