pakka

ଅବ୍ୟବସ୍ଥା ଘେରରେ ଲାଲ ବାହାଦୁର ଶାସ୍ତ୍ରୀ ବିଦ୍ୟାଳୟ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ କେବଳ ସହର ନୁହେଁ, ସମଗ୍ର ପଦ୍ମପୁର ଉପଖଣ୍ଡରେ ନାଁ ରହିଛି । ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଅଭିଭାବକଙ୍କ ସହଯୋଗରେ ବିଦ୍ୟାଳୟର ବେଶ୍ ସୁନାମ ରହିଛି । କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ବର୍ତ୍ତମାନ ବିଦ୍ୟାଳୟ ଘୋର ଅବ୍ୟବସ୍ଥା ଦେଇ ଗତି କରୁଛି । ଦୀର୍ଘ ୨ ବର୍ଷ ବ୍ୟବଧାନ ପରେ ପୁଣି ବିଦ୍ୟାଳୟମାନଙ୍କରେ ପାଠପଢ଼ା ଆରମ୍ଭ ହୋଇଛି । କିନ୍ତୁ ବର୍ତ୍ତମାନ ଅସରାଏ ବର୍ଷାରେ ବିଦ୍ୟାଳୟରେ ପାଣି ଭର୍ତ୍ତି ହୋଇଯାଉଛି । ତା’ ସହିତ ବିପଦ ସଂକୁଳ ଅବସ୍ଥାରେ ଶ୍ରେଣୀ ଗୃହଗୁଡ଼ିକ ପଡ଼ି ରହିଛି । ପ୍ରାପ୍ତ ସୂଚନା ଅନୁସାରେ ୧୯୬୮ ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ବିଦ୍ୟାଳୟରେ ପରିବେଶ ଓ ଶିକ୍ଷାଦାନ ଯୋଗୁଁ ବିଭିନ୍ନ ସମୟରେ ସରକାରଙ୍କ ଠାରୁ ଏହା ପୁରସ୍କୃତ ହୋଇଆସିଛି । ୧୯୯୩ ମସିହାରେ ତତ୍କାଳୀନ ପ୍ରଧାନ ଶିକ୍ଷକ ସୀତାକାନ୍ତ ଭୋଇ ରାଜ୍ୟସ୍ତରୀୟ ଶ୍ରେଷ୍ଠ ପୁରସ୍କାର ପାଇଥିଲେ । ସେହିପରି ୧୯୯୫ ମସିହାରେ ଏହି ବିଦ୍ୟାଳୟ ଉପଖଣ୍ଡର ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ପାଇଥିଲା । ୨୦୧୧ ମସିହାରେ ଓଡ଼ିଶା ରାଜ୍ୟ ଶିକ୍ଷା ସଚିବ ଅପରାଜିତା ଷଡଙ୍ଗୀ ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶିକ୍ଷାଦାନ ଓ ପରିବେଶ ପାଇଁ ସମ୍ମାନିତ କରିଥିଲେ । ଅନୁରୂପ ଭାବେ ୨୦୧୫ ମସିହାରେ ତତ୍କାଳୀନ ସଚିବ ଶ୍ରୀମତୀ ଉଷା ପାଢ଼ୀ ବିଦ୍ୟାଳୟକୁ ଗୁଣବତ୍ତା ପୁରସ୍କାର ଦେଇଥିଲେ । ବିଦ୍ୟାଳୟଟି ଅଞ୍ଚଳରେ ବେଶ୍ ସୁନାମ ପାଇଥିଲେ ହେଁ ବିଭାଗୀୟ ଅବହେଳା ଯୋଗୁଁ ଏହା ଘୋର ଅବ୍ୟବସ୍ଥା ଦେଇ ଗତି କରୁଛି । ଏଭଳି ଏକ ଖ୍ୟାତନାମା ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପ୍ରତି ବିଭାଗର ଏଭଳି ଅବହେଳାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତୁରନ୍ତ ଏହାର ସମାଧାନ ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

two × one =