
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତ୍ତୃତ୍ଵରେ ଛତ୍ରପୁର ଠାରେ ଆୟୋଜିତ ଏକ ବିଶାଳ ମେଗା ରକ୍ତଦାନ ଶିବିରରେ ୧୫୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ଏକ ନିଆରା ରେକର୍ଡ ସୃଷ୍ଚି ହୋଇପାରିଛି । ଶୁକ୍ରବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଏହାକୁ ନେଇ ରାଜ୍ୟ ବ୍ୟାପି କେଉଁଠି ପୂଜାର୍ଚ୍ଚନା ତ କେଉଁଠି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ହେଲେ ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଭାଜପା ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଶାଳ ମେଗା ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା । ଯାହାର ନେତୃତ୍ୱ ନେଇଥିଲେ ଛତ୍ରପୁର ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ଛତ୍ରପୁର ସ୍ଥିତ ନୂଆ ବସଷ୍ଟାଣ୍ଡରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଶହ ଶହ କର୍ମୀ ଓ ବାସିନ୍ଦାମାନେ ସ୍ୱେଚ୍ଛାକୃତ ଭାବେ ପହଞ୍ଚି ରକ୍ତଦାନ କରିଥିଲେ । ଯାହାକି ୧୫୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହା ସମଗ୍ର ଗଞ୍ଜାମ ଜିଲ୍ଲାରେ ଅଧିକ ରେକର୍ଡ ସଂଖ୍ୟକ ବୋଲି ମତପ୍ରକାଶ ପାଇଛି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଅଧିକ ରହିଥିବା ବେଳେ ବିଭିନ୍ନ ମେଡିକାଲରେ ରକ୍ତର ଘୋର ସଙ୍କଟ ଦେଖିବାକୁ ମିଳିଛି । ବିଶେଷ କରି ଏମ୍କେସିଜି ମେଡିକାଲର ରକ୍ତ ଭଣ୍ଡାରରେ ମଧ୍ୟ ରକ୍ତର ଅଭାବ ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଏମ୍କେସିଜି ନୁହେଁ ବରଂ ସାରା ରାଜ୍ୟରେ ମଧ୍ୟ ରକ୍ତର ସଙ୍କଟ ଦେଖିବାକୁ ମିଳିଛି । ଆଉ ଏହାକୁ ଦୃଷ୍ଟିରେ ରଖି ଏଭଳି ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଏହି ଶିବିରରେ ବ୍ରହ୍ମପୁର ଏମକେସିଜି ମେଡିକାଲର ରକ୍ତ ଭଣ୍ଡାର, ଭଞ୍ଜନଗର ମେଡିକାଲ ରକ୍ତ ଭଣ୍ଡାର, ଗଜପତି ମେଡିକାଲର ରକ୍ତ ଭଣ୍ଡାର ଓ କଟକ ମେଡିକାଲ ରକ୍ତ ଭଣ୍ଡାରର ଟିମ୍ ପହଞ୍ଚି ରକ୍ତଦାତା ମାନଙ୍କର ରକ୍ତ ସଂଗ୍ରହ କରିଥିଲେ । ଆଗାମୀ ଦିନରେ ମଧ୍ୟ ଏଭଳି ରକ୍ତଦାନ ଶିବିର ଆଗକୁ ଜାରି ରହିବ ବୋଲି କହିଛନ୍ତି ଛତ୍ରପୁର ବିଧାୟକ । ଏହି ଅବସରରେ ଆୟୋଜିତ ଶିବିରକୁ ବିଧାୟକଙ୍କ ପ୍ରତିନିଧି ବନୋଜ ନାହାକ, ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ସାଂସଦ ପ୍ରତନିଧି ସନ୍ତୋଷ ରେଡ୍ଡୀ, ବରିଷ୍ଠ ବିଜେପି ନେତୃବୃନ୍ଦ ଯୁବ ନେତା ଓ ସମସ୍ତ ମଣ୍ଡଳ ସଭାପତି, ବିଭିନ୍ନ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ବିଶାଳ ମେଗା ରକ୍ତଦାନ ଶିବିରରେ ସାମିଲ ହୋଇ ବଳିଷ୍ଠ ନେତ୍ତୃତ୍ଵ ନେଇ ଏକ ନିଆରା ଇତିହାସ ରେକର୍ଡ଼ ସୃଷ୍ଟି କରିଛନ୍ତି ।
