
ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରୁ ପ୍ରାୟ ୧୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି ଏବଂ ଟେଣ୍ଡର କାର୍ଯ୍ୟ ମଧ୍ୟ ସରିଛି । ଏହି କାର୍ଯକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କୁ ଜିଲ୍ଲା ସାର୍କିଟହାଉସ ଠାରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା କରିଛନ୍ତି ଏବଂ ପ୍ରତିଶୃତି ଦେଇଛନ୍ତି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାୟ ୧୦ ଏକର ଜାଗାରେ ବଲାଙ୍ଗିର ପାଟଣାଗଡ ରାସ୍ତା କଡ଼ରେ ତଥା ଦାଉପାଲି ଠାରେ ନିର୍ମାଣ ହେବ । ତେଣୁ ବଲାଙ୍ଗିର ଜିଲ୍ଲାର ଅନେକ ଲୋକ ଅଧିକ ଚିକିତ୍ସାର ସୁଯୋଗ ପାଇବେ । ଅନେକ ବିଭାଗ ଖୋଲିବା ନେଇ ଅଂଚଳବାସୀଙ୍କ ମନରେ ଆଶା ବାନ୍ଧିଛି । ଏହି ଗୋଷ୍ଠୀ କେନ୍ଦ୍ର ଚିକିତ୍ସାଧିକାରୀ ଡା. ତରୁଣ କୁମାର ଭୋଇ, ଗୌନ୍ତିଆ ଲୋକନାଥ କୁମୁରା, ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ସୁଶିଲ କୁମାର ବେହେରା, ଗିରିଧାରୀ ପୁଟା, ଜଗଦୀଶ ନାଥ, ସଂଗଠକ ଜୟକୃଷ୍ଣ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଶୁଭ ଶିଳାନ୍ୟାସ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ବିଧାୟକ, ସାଂସଦ ସମସ୍ତଙ୍କ ଉପସ୍ଥିତିର ସହଯୋଗ ଲୋଡିଥିଲେ ।
