ସଂଗୀତରେ ଶ୍ରଦ୍ଧାଳୁଙ୍କ ମନ ଜିଣୁଛନ୍ତି ବିଦେଶୀ ନନ୍ଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗ୍ରାମାଂଚଳର ସଂଗୀତରେ ସୁନାମ ଅର୍ଜନ କରିଥିବା ଜଣେ ଯୁବକ ହେଉଛନ୍ତି ବିଦେଶୀ ନନ୍ଦ । ତାଙ୍କର ଇଚ୍ଛା ଶକ୍ତି ବଳରେ ସଂଗୀତ ଓ ଅନଲାଇନ୍‌ରେ ଶିକ୍ଷା ଦେଇ ଦର୍ଶକମାନଙ୍କ ପ୍ରିୟ ହୋଇପାରିଛନ୍ତି । ତୁଳସୀ ଦୁଇ ପତ୍ରରୁ ବାସେ । ସେମିତି ପିଲାଟି ଦିନରୁ ହିଁ ତାଙ୍କର ସଂଗୀତ ପ୍ରତି ରୁଚି ରହିଥିଲା । ସେ କୁର୍ଲୁବାହାଲ ହାଇସ୍କୁଲରେ ପାଠ ପଢିବା ସହ ବିଦ୍ୟାଳୟରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ କୃତୀତ୍ୱ ଅର୍ଜନ କରୁଥିବା ବେଳେ ତାଙ୍କୁ ସ୍କୁଲ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଉଥିଲା । ତେଣୁ ପାଖ ଅଂଚଳରେ ପିଲାଟି ଦିନରୁ ସେ ଖ୍ୟାତି ଅର୍ଜନ କରି ସାରିଛନ୍ତି । ସେ ଏକ ଧାରରେ ଜଣେ ଗୀତିକାର, ସଂଗୀତଜ୍ଞ, ଗାୟକ ଓ ଶିକ୍ଷକ । ସେ ଏବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ସିଦ୍ଧି ବିନାୟକ କଲେଜ୍‌ରେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଏକ ହଜାରରୁ ଉଦ୍ଧ୍ୱର୍ ଗୀତ ପ୍ରସ୍ତୁତ କରି ସାରିଛନ୍ତି । କୋଶଲୀ, ଓଡିଆ ଆଧୁନିକ, ଭଜନରେ ମଧ୍ୟ ତାଙ୍କର ନାମ ରହିଛି । ସେ ବିଭିନ୍ନ ଅନୁଷ୍ଠାନଗୁଡିକ ସମ୍ବର୍ଦ୍ଧିତ ହୋଇଛନ୍ତି । ଚଟିଆଗୁଡା, ଧାଙ୍ଗରୀ ରାଶି, ଭାଙ୍ଗିଦେ ବିହା, ଛୋଟି ବହୁ, କଷିଧାନ, ପ୍ରେମର ପାଗଳ, ଦୁଃଖ ବଢି ଯାଉଛି ଇତ୍ୟାଦି ଗୀତରେ ସୁମଧୁର କଣ୍ଠଦାନ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବଡସାଇମରା ପଂଚାୟତର ଗୋଟିଏ ଗାଉଳି ଗାଁ ଧାତୁକଯୁରୀ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଛନ୍ତି । ଲୋକେ ଏବେ ତାଙ୍କ ପାଇଁ ଏହି ଗାଁ କୁ ମଧ୍ୟ ଜାଣିବାକୁ ପାଉଛନ୍ତି । ସେ ଲକଡାଉନ୍‌ ସମୟରୁ ଅନଲାଇନ୍‌ରେ ଶିକ୍ଷା ପ୍ରଦାନ କରି ଆହୁରି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ସେ ନିଜର ଆଦର୍ଶ ନିଜ ମାମୁଁ ଭଗତ ନାଗ ଓ ବଡଭାଇ ରାମଚନ୍ଦ୍ରଙ୍କୁ ମାନନ୍ତି । ସେ ସରଳ ଜୀବନ ଯାପନ ଓ ଜନସେବାକୁ ଗୁରୁତ୍ୱ ଦିଅନ୍ତି । ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଗ୍ରାମର ବ୍ୟକ୍ତିମାନେ ତାଙ୍କୁ ପ୍ରଶଂସା କରିବା ସହିତ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ପ୍ରୋତ୍ସାହନ ରାଶି ସହାୟତା କଲେ, ସେ ଆଗକୁ ବଢି ପାରନ୍ତେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.