ପ୍ରଧାନ ଶିକ୍ଷୟତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କର କ୍ଲାସ ୧ ପାହ୍ୟାକୁ ପଦୋନ୍ନତି ହୋଇ ବରଗଡ଼ର ବରିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ହିସାବରେ ଅବସ୍ଥାପିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସମାଜସେବୀ ଗୋବିନ୍ଦ ପ୍ରସାଦ ଅଗ୍ରୱାଲଙ୍କ ସଭାପତିତ୍ୱରେ କୋଭିଡ ନିୟମ ମାନି ଏକ ନିରାଡ଼ମ୍ବର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆଜି ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦବାନ ଦାଶ ପରିଚାଳନା କରିଥିଲେ । ଶିକ୍ଷକ ପ୍ରେମାନନ୍ଦ ବେହେରା ଅତିଥି ପରିଚୟ ପ୍ରଦାନ କଲାପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସମ୍ମାନରେ ଏକ ସ୍ୱଲିଖିତ କବିତା ଆବୃତ୍ତି କରିଥିଲେ । ତା’ପରେ ଅଂଚଳର ସୁନାମଧନ୍ୟ ଅବସରପ୍ରାପ୍ତ ଶିକ୍ଷକ ରାମନାରାୟଣ ପାଣିଗ୍ରାହୀ ତାଙ୍କ ଲିଖିତ ତିନିଗୋଟି ପୁସ୍ତକ ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପ୍ରଦାନ ପୂର୍ବକ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଶିକ୍ଷକ ସୁରେଶ ଚନ୍ଦ୍ର ଚୌହାନ, ମାନସ ରଞ୍ଜନ ଶତପଥୀ, ଶିକ୍ଷୟତ୍ରୀ ମିନତୀ ଦାଶ, ଜ୍ୟୋତ୍ସ୍ନାରାଣୀ ସାହୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ବିତେଇଥିବା ତାଙ୍କର ଅନୁଭୁତି ବର୍ଣ୍ଣନା କରିଥିଲେ । ଏସ୍‌ଏମସି ଅଧ୍ୟକ୍ଷା ସରସ୍ବତୀ ଭୋଇ ଓ ଉପାଧକ୍ଷ ବିଶ୍ୱନାଥ ଦାସ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିଦ୍ୟାଳୟ ପ୍ରତିଦାନକୁ ସ୍ମରଣ କରି ପ୍ରଶଂସା କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ତାଙ୍କ ପାଞ୍ଚ ବର୍ଷ ରହଣୀ କାଳର ଅନୁଭୂତି କହିଥିଲେ ଓ କହିଲେ ଯେ ଭବିଷ୍ୟତରେ ମଧ୍ୟ ଏହି ବିଦ୍ୟାଳୟର ଉନ୍ନତି କଳ୍ପେ ସେ କାର୍ୟ୍ୟ କରିବେ । ସଭାରେ ଶିକ୍ଷକ ଚିନ୍ତାମଣି ସାହୁ, ଜୀବନନନ୍ଦ ସାହୁ ତଥା ଶିକ୍ଷୟତ୍ରୀ ଜ୍ୟୋତିରେଖା ମହନନ୍ଦ, ବିଦ୍ୟାଳୟର କିରାଣୀ ସୁଷମ ଦାଶ ଉପସ୍ଥିତ ଥିଲେ । ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ତଥା ବସନ୍ତ ବାଗ ସଭାକାର୍ୟ୍ୟରେ ସହାୟତା କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀଙ୍କ ରିଲିଫ ପରେ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କୁ ବିଦ୍ୟାଳୟର ଭାର ଦିଆଯାଇଥିଲା ।ନୂତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତାଙ୍କ ପୂର୍ବ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ୟ୍ୟପନ୍ଥାକୁ ଆଗେଇ ନେବାକୁ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଶିକ୍ଷାବିଦ, ଏସ୍‌ଏମସି ସଦସ୍ୟ, ଶିକ୍ଷାକର୍ମଚାରୀଙ୍କ ସହଯୋଗ କାମନା କରିଥିଲେ । ପରିଶେଷରେ ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

7 + twenty =