csstore

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭାବ ବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ବିଦ୍ୟାନଗରୀ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଶ୍ମିବାଳା ମହାପାତ୍ରଙ୍କୁ ବିଦ୍ୟାଳୟ ପରିସରରେ ଭାବ ବିହ୍ୱଳ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ପାର୍ବତୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ସିଆର୍‌ସିସି ଦୀପକ କୁମାର ସାମଲ, ପ୍ରାକ୍ତନ ସିଆର୍‌ସିସି ତଥା ପ୍ରଧାନଶିକ୍ଷକ ପ୍ରବୀର କୁମାର ଦୁବେ, ପ୍ରାକ୍ତନ ସିଆର୍‌ସିସି ତଥା ଜାତୀୟ ଫୁଟବଲ ରେଫ୍ରି ଭାସ୍କର ନନ୍ଦ, ବିଶିଷ୍ଟ ଶ୍ରମିକନେତା ନୃସିଂହ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ମହାପାତ୍ରଙ୍କ ବିଦ୍ୟାଳୟ ପ୍ରତି ଆନୁଗତ୍ୟ ଓ ପ୍ରତିବଦ୍ଧତା, ଶିକ୍ଷାଦାନ, ବିଦ୍ୟାଳୟର ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଅବଦାନକୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ସଚଳା ବାରିକ, ପ୍ରଭାତୀ ମାହାନ୍ତ, ପରିଚାଳନା କମିଟିର ସୌକାମିନୀ ପାଣ୍ଡେ ପ୍ରମୁଖ ଶ୍ରୀମତୀ ମହାପାତ୍ରଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀମତୀ ମହାପାତ୍ର ଶିକ୍ଷାଦାନରେ ୩୫ ବର୍ଷର ଅଭିଜ୍ଞତା, ଶୃଙ୍ଖଳା, ବିଦ୍ୟାଳୟ ପ୍ରତି ପ୍ରତିବଦ୍ଧତା, ଶିକ୍ଷକ ଶିକ୍ଷୟିତ୍ରୀ ପାଚିକାଙ୍କ ମଧ୍ୟରେ ଐକ୍ୟବଦ୍ଧତା, ଦୁବେ ସାର ଓ ନନ୍ଦ ସାର୍‌ଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ପରିଚାଳନା କମିଟି, ସହକର୍ମୀ, ସିଆର୍‌ସିସି ମାନଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ ସହ କେକ୍ କଟାଯାଇ ତାଙ୍କର ଅବସର ଜୀବନ ସୁଖମୟ ହେବାପାଇଁ କାମନା କରାଯାଇଥିଲା । ସିଆର୍‌ସିସି ଶ୍ରୀ ସାମଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହକର୍ମୀ ମାନଙ୍କ ବକ୍ତବ୍ୟ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରିଥିଲା । ଶେଷରେ ଶିକ୍ଷୟିତ୍ରୀ ତୃପ୍ତି ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ଜ୍ୟୋସ୍ନାମୟୀ ରାଉତ, ସୁଲୋଚନା ମିଶ୍ର, ସୁଜାତା ମହାପାତ୍ର, ପରିଚାଳିକା ମମତା, ଟିକିନା, କନକ, ରୁମିତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.