
ଖପ୍ରାଖୋଲ (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ବୁଢ଼ୀବାହାଲ ଗ୍ରାମରେ ଜିଲ୍ଲା ପରିଷଦ ପାଣ୍ଠିରେ ନିର୍ମିତ ଡ୍ରେନ୍ କାମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପାଖାପାଖି ୧୦୦ ମିଟର ଡ୍ରେନ୍ ନିର୍ମାଣ କରାଯାଇଥିବା ସତ୍ତ୍ୱେ କାମର ଗୁଣବତ୍ତା ଅତ୍ୟନ୍ତ ନିମ୍ନମାନର ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କାର୍ଯ୍ୟସ୍ଥଳରେ ସୂଚନା ଫଳକ ନାହିଁ । କେତେ ଟଙ୍କା ମଞ୍ଜୁର ହୋଇଛି ? କିଏ କାମ କରୁଛି ? କେବେ ଶେଷ ହେବ ? ଏ ସମ୍ପର୍କରେ ଲୋକଙ୍କୁ ସମ୍ପୂର୍ଣ୍ଣ ଅନ୍ଧାରରେ ରଖାଯାଇଥିବା ଅଭିଯୋଗ ହେଉଛି । ଗ୍ରାମବାସୀଙ୍କ ଅଭିଯୋଗ, ଡ୍ରେନ୍ର ନିର୍ମାଣ ମାନ ଏପରି ନିମ୍ନସ୍ତରର ଯେ, ଏହାକୁ ଦେଖିଲେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ମଧ୍ୟ କହିଦେବ ଯେ ଏହା ଡ୍ରେନ୍ ନୁହେଁ, ସରକାରୀ ଅର୍ଥର ଅପବ୍ୟବହାରର ଉଦାହରଣ । ସ୍ଥାନୀୟ ସ୍ତରରେ ଏପରି ମଧ୍ୟ ଆଲୋଚନା ହେଉଛି ଯେ, ଠିକାଦାର ମନମୁଖୀ ଭାବେ କାମ କରି କେତେକ ସ୍ଥାନୀୟ ପ୍ରତିନିଧିଙ୍କ ସହଯୋଗରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି କାମ ସାରିଦେଇଛନ୍ତି । ତେବେ ଏହି ଅଭିଯୋଗର ସ୍ୱାଧୀନ ଯାଞ୍ଚ ହୋଇନାହିଁ । ଗ୍ରାମ ବାସୀମାନେ ଦାବି କରିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଘଟଣାର ନିରପେକ୍ଷ ତଦନ୍ତ କରି ଯଦି ଅନିୟମିତତା ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଡ୍ରେନ୍ଟିକୁ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ପୁନଃ ନିର୍ମାଣ କରାଯାଉ ।

