
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ନବନିର୍ମିତ କଲ୍ୟାଣ ମଣ୍ଡପର ଉଦଘାଟନକୁ କେନ୍ଦ୍ର କରି ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହୋଇଛି । ପ୍ରାୟ ୧ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ କେସିଙ୍ଗା ଏନ୍ଏସି ପକ୍ଷରୁ ବଗାଡ଼ ଠାରେ ନିର୍ମିତ ଏହି କଲ୍ୟାଣ ମଣ୍ଡପର ଉଦଘାଟନ ପାଇଁ ସରକାରୀ କାର୍ଯ୍ୟକ୍ରମ ରଖାଯାଇଥିଲା । କିନ୍ତୁ ଅତିଥି ଚୟନକୁ ନେଇ ଶେଷ ମୁହୂର୍ତ୍ତରେ ବିବାଦ ଦେଖାଦେବା ପରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । କାର୍ଯ୍ୟକ୍ରମ ବାତିଲ ପରେ ଉଦଘାଟନ ଫଳକ, ଟେଣ୍ଟ ଓ ସାଜସଜ୍ଜାକୁ ହଟାଇ ଦିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ନିଜ ସମର୍ଥକ ଓ କିଛି କାଉନସିଲରଙ୍କ ସହ ମଣ୍ଡପର ତାଲା ଖୋଲି ପୁଣି ଫଳକ ସ୍ଥାପନ କରି ଉଦଘାଟନ କରିଥିଲେ । ଏହି ଉଦଘାଟନକୁ ଏନ୍ଏସି କାର୍ଯ୍ୟାଳୟ ସରକାରୀ କାର୍ଯ୍ୟକ୍ରମ ଭାବେ ସ୍ୱୀକାର କରିନାହିଁ । ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ କହିବା ଅନୁଯାୟୀ, ପରିଷଦ ଭାବେ ଅତିଥି ଚୟନ କରିବାର ଅଧିକାର ସେମାନଙ୍କର ରହିଛି । ସେ କହିଛନ୍ତି ଯେ, ବିଜେପି ସାଂସଦ ମାଳବିକା ଦେଓ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଏବଂ ସ୍ଥାନୀୟ ବିଧାୟକ ସାଗର ଚରଣ ଦାସଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତାଙ୍କ ଅଭିଯୋଗ ଅନୁସାରେ, ଜୁନାଗଡ଼ ବିଧାୟକଙ୍କୁ ଆମନ୍ତ୍ରଣ କରାଯିବାକୁ ନେଇ ବିଜେପି ଆପତ୍ତି ଉଠାଇଥିଲା ଏବଂ ପ୍ରଶାସନ ଉପରେ ଚାପ ପକାଇ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା । ସେ ଆହୁରି କହିଛନ୍ତି ଯେ, ଏହି ପ୍ରକଳ୍ପ ପୂର୍ବତନ ସରକାରଙ୍କ ଅନୁଦାନରେ ନିର୍ମାଣ ହୋଇଥିବାରୁ ବିଜେଡି ବିଧାୟକଙ୍କୁ ନିମନ୍ତ୍ରଣ କରିବା ସ୍ୱାଭାବିକ । ଅନ୍ୟପଟେ ବିଜେପି ଏହି ଘଟଣାକୁ ଅସାମ୍ବିଧାନିକ ବୋଲି ବର୍ଣ୍ଣନା କରିଛି । ଦଳର ଅଭିଯୋଗ ଅନୁସାରେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଜେଡି ନେତୃତ୍ୱ କାର୍ଯ୍ୟକ୍ରମ ଆୟୋଜନ କରି ସରକାରୀ ନିଷ୍ପତ୍ତିକୁ ଅବମାନନା କରିଛି । ବିଜେପିର କହିବା ଅନୁଯାୟୀ, ଯଦି ପ୍ରକୃତରେ ବିକାଶ ଉଦ୍ଦେଶ୍ୟ ଥାଆନ୍ତା, ତେବେ ସମ୍ପୃକ୍ତ ଯୋଜନାର ଦାୟିତ୍ୱରେ ଥିବା ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥାଆନ୍ତା ।
