pakka

ଭୂତଳ ପାଇପ୍‌ ଯୋଗେ ଜଳସେଚନ ବ୍ୟବସ୍ଥା ହେବ : ମନ୍ତ୍ରୀ ଟୁକୁନୀ

bbehera
  • ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୧୦୦୭ କୋଟି ଅନୁଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଶନିବାର ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଳସେଚନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏହା କହିଛନ୍ତି । ବିନା ବିସ୍ଥାପନରେ ସର୍ବନିମ୍ନ ଜମି ଅଧିଗ୍ରହଣ ଦ୍ୱାରା ଜଳସେଚନ ପ୍ରକଳ୍ପର କ୍ଷମତା ବୃଦ୍ଧି କରାଯିବ । ପାନୀୟ ଜଳ ଯୋଗାଣ ସହିତ ପାଣିର ଅପବ୍ୟବହାର ରୋକିବା ପାଇଁ ଖୋଲା କେନାଲ ଜଳସେଚନ ବ୍ୟବସ୍ଥା ବଦଳରେ ଭୂତଳ ପାଇପ୍‌ ଦ୍ୱାରା ଜଳସେଚନ (ୟୁଜିପିଏଲ) ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମନ୍ତ୍ରୀ ଶ୍ରୀମତୀ ସାହୁ ବିଷଦ ଭାବେ ତଥ୍ୟ ଉପସ୍ଥାପନ କରିଥିଲେ । ଏହା ସହିତ ଜିଲ୍ଲାରେ ପ୍ରବାହିତ ବିଭିନ୍ନ ନଦୀ ଉପରେ ବ୍ୟାରେଜ ଓ ଚେକ୍‌ଡ୍ୟାମ ନିର୍ମାଣ କରାଯାଇ ଜଳସେଚନର କ୍ଷମତା ବୃଦ୍ଧି କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ୍‌ ଦ୍ୱାରା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ପାଇଁ ୯୯୮ କୋଟି ଟଙ୍କା ଓ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୮କୋଟି ୯୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପଟି ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉକ୍ତ ପ୍ରକଳ୍ପ ଦ୍ୱାରା ବଲାଙ୍ଗିର ପୌର ପରିଷଦ, ଦେଓଗାଁ ବ୍ଲକ, ପୁଇଁନ୍ତଳା ବ୍ଲକ ଓ ସୋନପୁର ଜିଲ୍ଲାର ତରଭା ବ୍ଲକର ୨୭ ହଜାର ହେକ୍ଟର ଜମି ଜଳସେଚିତ ହେବା ସହିତ ବଲାଙ୍ଗିର ସହରବାସୀଙ୍କ ପାନୀୟ ଜଳ ଆବଶ୍ୟକତା ପୂରଣ ନିମନ୍ତେ ୧୭.୮୯ ନିୟୁତ କ୍ୟୁବିକ୍‌ ମିଟର ପିଇବା ପାଣି ମିଳିବ । ଏହା ସହିତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଲୋକ ମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ସାହାଯ୍ୟ କରିବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର କୃଷି ଓ କୃଷକର ଆର୍ଥିକ ଅବିବୃଦ୍ଧି ଦିଗରେ ଏହି ଦୁଇ ପ୍ରକଳ୍ପ ସହାୟକ ହେବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀକୁ ସାଧୁବାଦ ଜଣାଇଥିଲେ ମନ୍ତ୍ରୀ ଶ୍ରମତୀ ସାହୁ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ଼ ବିଧାୟକ ତଥା ସରକାରୀ ଦଳର ଉପ ମୁଖ୍ୟ ସଚେତକ ସରୋଜ ମେହେର, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବରିଷ୍ଠ ବିଜେଡ଼ି ନେତା ଅଜୟ ଦାସ, ଫିରୋଜ ଖାନ, ନିହାର ରଞ୍ଜନ ବେହେରା, ଲୋଟସ ଷଡ଼ଙ୍ଗୀ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ହୋତା, ଜିଳ୍ଲା ମହିଳା ବିଜେଡ଼ି ସଭାପତି ଦମୟନ୍ତୀ ବାଗ, ଟାଉନ ସଭାପତି ଶମ୍ଭୁ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 × 1 =