କାଗଜ କଳମରେ ଚାଳିଛି ଭୂମିହୀନଙ୍କୁ ପଟ୍ଟା ବଣ୍ଟନ : ପଟ୍ଟା ପାଇବାର ୨୨ବର୍ଷ ପରେ ମଧ୍ୟ ଚିହ୍ନଟ ହୋଇନି ଜାଗା : ଘର ନିର୍ମାଣରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ, ପାର୍ଚା ଦେଖି କଟୁଛି ଦିନ

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ଷ ବର୍ଷ ହେଲା ହାତରେ ପଟ୍ଟା ଧରି ଜାଗାକୁ ଅନାଇ ବସିଛନ୍ତି ଭୂମିହୀନ । କେନ୍ଦ୍ର ଓ ରାଜ୍ୟ ସରକାର ଭୂମିହୀନଙ୍କୁ ଜାଗା ଦେବା ପାଇଁ ଅନେକ ଗୁଡ଼ିଏ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ପଟ୍ଟା ଧରାଇ ଦେଇ ଜାଗା ଚିହ୍ନ କରୁ ନଥିବାରୁ ଭୂମିହୀନଙ୍କୁ ଜାଗା ଦିଆ କାମ କାଗଜ କଲମରେ ହେଉଛି ଅଭିଯୋଗ ହେଉଛି । ଭୂମିହୀନ ଲୋକ ପଟ୍ଟା ପାଇବାର ୨୨ ବର୍ଷ ବିତି ଯାଇଥିଲେ ମଧ୍ୟ ତହସିଲଦାର କି ଉପଜିଲ୍ଲାପାଳ, ଗରିବ ଲୋକଙ୍କୁ ଗାଁକୁ ଯାଇ ଜାଗା‌ ଚିହ୍ନଟ କରିନଥିବାରୁ ଏହି ଯୋଜନା କାହା ପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଓଗାଁ ବ୍ଲକ ଶେଷ ମୁଣ୍ଡରେ ଥିବା ଅର୍ଜୁନପୁର ପଞ୍ଚାୟତର ଅଇଁଲାପାଲି ଗାଁ ହେଉଛି ଏକ ଆଦିବାସୀ ବହୁଳ ଗାଁ । ଏହି ଗାଁର ଲୋକେ ଦିନ ମଜୁରୀଆ ଓ ଚାଷୀ ଶ୍ରେଣୀର ଲୋକେ, ସରଳ ଜୀବନଯାପନ କରୁଛନ୍ତି । ଶତାଧିକ ଲୋକଙ୍କ ନିଜର ବାସସ୍ଥାନର କୌଣସି ପ୍ରମାଣ ପତ୍ର ନ ଥିବାରୁ ୧୯୯୮ ମସିହାରେ ତତ୍‌କାଳୀନ ରାଜ୍ୟ ସରକାର ଏହି ଗାଁର ୪୫ ଜଣ ଭୂମିହୀନଙ୍କୁ ୪ ଡ଼ିସମିଲ ଲେଖାଏଁ ଅଇଁଲାପାଲି ଗାଁର ବଡ଼ିକଟାଁରେ ଯୋଗାଇ ଦିଆଯାଇଛି ବୋଲି ସେହି ସମୟର ତହସିଲଦାର କହିଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗାଁଲୋକ ବର୍ଷ ବର୍ଷ ଧରି ନିଜ ଜାଗାକୁ ଅନାଇ ତହସିଲଦାରଠୁ ଆରମ୍ଭ କରି ଜିଲ୍ଲାପାଲ, ବିଧାୟକ, ସାଂସଦଙ୍କ ନିକଟରେ ଜାଗା ଚିହ୍ନଟ କରାଇବା ପାଇଁ ଗୁହାରୀ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ହତାଶ ହୋଇ ବସି ରହିଥିବା ଆମ ପ୍ରତିନିଧୀଙ୍କ ସମ୍ମୁଖରେ ବଖାଣିଛନ୍ତି । ଏବେ ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଭୂମିହୀନଙ୍କ ପାଇଁ କାଳିଆ ଓ ବଳିଆ ଯୋଜନା ଉନ୍ନତି କରାଯିବ ବୋଲି ଘୋଷଣା କରୁଥିବା ବେଳେ ସାମାନ୍ୟ ଜାଗା ଚିହ୍ନଟ କରି ପାରୁ ନ ଥିବାରୁ ସରକାରଙ୍କ ଭୂମିହୀନ ପ୍ରତି ସମବେଦନା ପଦାରେ ପଡ଼ିଦାଣ୍ଡରେ ଗଡ଼ିଛି । ଖାଲି ଅଇଁଲାପାଲି ଗାଁ ନୁହେଁ ଦେଓଗାଁ ତହସିଲର ରାମଚନ୍ଦ୍ରପୁର, ବଡ଼ବନ୍ଧ, ସିଂହାମୁଣ୍ଡା, ମୁକୁନ୍ଦପୁର. ଦେଓଗାଁ, ବନ୍ଧପଡ଼ା, କୁଲୁତାପଡ଼ା, ଗୌଡ଼ଗୋଠ ପଞ୍ଚାୟତର ବିଭିନ୍ନ ଗାଁରେ ଭୂମିହୀନଙ୍କୁ ପଟ୍ଟା ମିଳିଥିଲେ ବି ଜାଗା ଚିହ୍ନଟ ହୋଇନଥିବା ଜଣାପଡ଼ିଛି ।

ସେମାନେ ଯାହା କହନ୍ତି

ନରେନ୍ଦ୍ର ବାଗ, ଅଇଁଲାପାଲି
ଦୀର୍ଘ ୨୨ବର୍ଷ ହେଲା ସରକାର ବାହାଦୁର ବିଚାର କରି ଆମକୁ ୪ ଡ଼ିସମିଲ ଲେଖାଏଁ ଜାଗା ପ୍ରଦାନ କରିଛନ୍ତି । ହେଲେ ଏହି ଜାଗାର ପଟ୍ଟାକୁ ଧରି ଆମେ ଡ଼ୁଗ୍‌‌ ଡ଼ୁଗ୍‌‌ ଦେଖୁଛୁ, କେତେ ବେଳେ ବି ସରକାର ଆସି ଜାଗା ଚିହ୍ନଟ କରି ଦେବାରନି, କି ଆମର କଥା ଶୁନବାରନି ।

ପ୍ରକାଶ ସୁନା, ଅଇଁଲାପାଲି
ଆମର ଗାଁର ୪୫ ଜଣ ଭୂମିହୀନ ଲୋକ ପାର୍ଚା ପାଇଛୁ । ୨୦୦୦ ମହିସାରେ ତତ୍‌କାଳୀନ ତହସିଲଦାର ଗାଁକୁ ଆସି ତୁମ ଗାଁରେ ଥିବା ବାଡ଼ିକଟାଁରେ ଜାଗା ସରକାର ପକ୍ଷରୁ ଯୋଗାଇ ଦିଆଯାଇଛି ବୋଲି କହିଥିଲେ । କିନ୍ତୁ ଜାଗା ପାଇଥିବା କିଛି ଲୋକ ମୃତ୍ୟୁ ବରଣ କରି ସାରିଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ଜାଗା ଚିହ୍ନଟ ହୋଇ ପାରିଲାନି । ଏହି ୪୫ ଜଣଙ୍କ ଜାଗା ଚିହ୍ନଟ କରି ଆଦର୍ଶ କଲୋନୀ ନିର୍ମାଣ କରିବାକୁ ସରକାରଙ୍କୁ ଅନୁରୋଧ କରୁଛୁ ।

ପୁଷ୍କର ବାଗ, ଅଇଁଳାପାଲି
ଗଲା ୨୧ ବର୍ଷ ହେଲା ମୁଇଁ ପାର୍ଚା, ପଟ୍ଟା ପାଇଛେଁ ।ହେଲେ ମୁଇଁ ବୁଢ଼ା ହେଇ ବସଲି ନ ଆଏଜ ତକ ସରକାର ଜାଗା ଚିହ୍ନଟ ନି କରବାର ତାଲି, ଯେନଥିର ଲାଗି ମୁଇଁ ଘରଦ୍ବାର ବି ବନେଇ ନାଇଁ ପାରବାର। ଆମେ ପାଇଥିବାର ଜାଗା ଆମକେ ଚିହ୍ନଟ କରେଇ ଦେଲେ ଆମେ ସେନେ ଘରଦ୍ବାର ବନେଇ କରି ରହେତୁ ।

Leave A Reply

Your email address will not be published.