ବରକାନୀଠାରେ ଦୁଇଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଲେ ନରସିଂହ

  • ୧୦୦ ଏକରରୁ ଅଧିକ ଚାଷ ଜମି ହେବ ଜଳସେଚିତ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚିର ମରୁଡି ପ୍ରପୀଡିତ ବଲାଙ୍ଗିର ଜିଲ୍ଲାରେ କିଛି ମାତ୍ରାରେ ଜଳସେଚନର ସ୍ଥିତି ବଢାଇବା ପାଇଁ ଅଞ୍ଚଳରେ ଯେତେ ସବୁ ପ୍ରାକୃତିକ ନାଳା ଅଛି ସେ ଉପରେ ଆମକୁ ଛୋଟ ଛୋଟ ଚେକ୍‌ ଡ୍ୟାମ ମାଧ୍ୟମରେ ପାଣି ଗଚ୍ଛିତ ରଖିବାକୁ ହେବ । ସେହି କ୍ରମରେ ଆଜି ବଲାଙ୍ଗିର ବ୍ଲକ ସ୍ଥିତ ବରକାନୀଠାରେ ବହି ଯାଉଥିବା ମଠଖାଇ ନାଳର ଦୁଇଟି ସ୍ଥାନ ଯଥା ବରକାନୀ ଓ ବରପଦରଠାରେ ଦୁଇ ଗୋଟି ଚେକ୍‌ ଡ୍ୟାମର ଭିତ୍ତିପ୍ରସ୍ତର ଦିଆଯାଇଛି । ଏହି ଦୁଇ ଚେକ୍‌ ଡ୍ୟାମରେ ଗଚ୍ଛିତ ହେବାକୁ ଥିବା ପାଣି ଯୋଗୁଁ ଅଂଚଳର ଜମିର ଆଦ୍ରତା ବଢିବା ସହ ୧୦୦ ଏକରରୁ ଅଧିକ ଚାଷ ଜମିକୁ ଜଳସେଚନ ପାଇଁ ପାଣି ପହଞ୍ଚିପାରିବ । ତେଣୁ ଏହି ଉଭୟ ଚେକ୍‌ ଡ୍ୟାମ ଏହି ଅଂଚଳର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଏକ ଆଶୀର୍ବାଦ ସଦୃଶ ପାଲଟିବ ବୋଲି ଆଜି ଉଭୟ ଚେକ୍‌ ଡ୍ୟାମର ଭିତ୍ତିପ୍ରସ୍ତରର ପରବର୍ତ୍ତୀ ସଭାରେ ବଲାଙ୍ଗିର ବିଧାୟକ ନିଜ ବକ୍ତବ୍ୟରେ କହିଛନ୍ତି । ବରକାନୀ ଓ ବରପଦରଠାରେ ହେବାକୁ ଥିବା ଏହି ଉଭୟ ଚେକ୍‌ ଡ୍ୟାମର ବ୍ୟୟ ଅଟକଳ ଯଥା କ୍ରମେ ୩୭ ଲକ୍ଷ ଓ ୩୬ ଲକ୍ଷ ହୋଇଥିବା ବେଳେ ଏହାର ସମୟ ସୀମା ଦୁଇ ମାସ ଧାର୍ଯ୍ୟ କରାଯାଇଛି । ଏହି ପ୍ରକଳ୍ପ ନିର୍ମାଣରେ ଯେମିତି କୌଣସି ଅବହେଳା କରା ନଯିବ, ଏହାର ଜଳ ଧାରଣ କ୍ଷମତା ଯୋଜନା ମୁତାବକ ଠିକ୍‌ ରହିବ ଏବଂ ଯେପରି ସମୟ ସୀମା ବ୍ୟତିକ୍ରମ ନହେବ ସେ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଉପସ୍ଥିତ ଥିବା ବିଭାଗୀୟ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ଉଭୟ ଚେକ୍‌ ଡ୍ୟାମର ଭିତ୍ତିପ୍ରସ୍ତର ସଭାରେ ସ୍ଥାନୀୟ ସରପଞ୍ଚ ବଳଦେବ ସାହୁ ଅଂଚଳବାସୀଙ୍କ ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଥିଲେ । ସଭାରେ ମଞ୍ଚାସୀନ ଥିବା ଗାଁର ବରିଷ୍ଠ ନାଗରୀକମାନେ ପଞ୍ଚାୟତରେ ସାଧାରଣତଃ ଅର୍ଥନୈତିକ ଅନଗ୍ରସର ଲୋକେ ବେଶି ପରିମାଣରେ ବାସ କରୁଥିବାରୁ ଏଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବିଧାୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବୀ କରିଥିଲେ । ତା’ଛଡା ଅଂଚଳରେ ଅନେକ ନାମକରା ଫୁଟବଲ ଖେଳାଳି ଥିବାରୁ ଏକ ମିନି ଷ୍ଟାଡିୟମର ଆବଶ୍ୟକତା ଉପରେ ଗ୍ରାମବାସୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି କିଶୋର ସିଂ ନିନା, ଶିବରାଜ ସିଂ ମାଝୀ, ଦୃବ ପ୍ରସାଦ ସାହୁ, ଶରତ ଚନ୍ଦ୍ର ଭୋଇ, ଚନ୍ଦନ ବିଶ୍ୱାଲ, ପଲଟୁ ସିଂ ମାଝୀ, ଗଣ୍ଡାରାମ ପ୍ରଧାନ ପ୍ରମୁଖଙ୍କ ସମେତ ଅନେକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three × 4 =