ପ୍ରସିଦ୍ଧ ବୈଶାଖ ମେଳା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

  • ଲୋକଗୀତ ଓ ଲୋକନୃତ୍ୟରେ ଝୁମିଲେ ଦର୍ଶକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପୀଠ ଚଳଚଂଚଳ ହୋଇଥିଲା ଦୀର୍ଘ ପାଂଚଦିନ ବ୍ୟାପୀ । ଗନ୍ଧମାର୍ଦ୍ଦନ ପାଦଦେଶରେ ସମବେତ ହୋଇଥିଲେ ହଜାର କଳାକାର । ଲୋକଗୀତ, ଲୋକନୃତ୍ୟରେ ଦୁଲୁକି ଉଠିଥିଲା ବିନ୍ଧ୍ୟବାସିନୀ ମଣ୍ଡପ । ଝୁମି ଉଠିଥିଲେ ଦର୍ଶକ । ପ୍ରସିଦ୍ଧ ବୈଶାଖ ମେଳାରେ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି । ଚଳିତ ବର୍ଷ ନୂତନ ଭାବରେ ନିର୍ମିତ ହୋଇଥିବା ସାଂସ୍କୃତିକ ମଣ୍ଡପ ବୁଧବାର ଦିନ ଉଦ୍‌ଘାଟିତ ହୋଇଥିଲା । ଏହାପରେ ପ୍ରଥମ ଦିବସରେ ଗଂଜାମର ଯୋଡିଶଙ୍ଖ, ସୁନ୍ଦରଗଡର ସାନ୍ତାଲି ନୃତ୍ୟ, ଗାଇସିଲେଟର ପରଭା ନୃତ୍ୟ, ବରଗଡର ଓଡିଶୀ ନୃତ୍ୟ, ପିଥୋରାର ଛତିଶଗଡି ନୃତ୍ୟ, ଲରମ୍ଭାର ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିବସରେ ପୁରୀର ଓଡିଶୀ ନୃତ୍ୟ, ଭୁତିବାହାଲର ସମ୍ବଲପୁରୀ ନୃତ୍ୟ, ଦେଉଲିର ପଂଚରସୀ ଲୋକନୃତ୍ୟ, ନୂଆଁପଡାର ଡାଲଖାଇ ନୃତ୍ୟ, ପାଟଣାଗଡର ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ସେହିପରି ଅନ୍ତିମ ଦିବସରେ ଦିଗପହଣ୍ଡିର ପଶୁମୁଖା ନୃତ୍ୟ, ଟିଟିଲାଗଡର ପଂଚରସୀ ନୃତ୍ୟ, ମହୁଲପାଲିର ଘୁଡୁକା ନୃତ୍ୟ, ଖରାମାଲର ଡାଲଖାଇ ନୃତ୍ୟ, ବରଗଡର ଭଜନ ସମାରୋହ, ଜମୁର୍ଡାର କୃଷ୍ଣଗୁରୁ ଆଦି ପ୍ରଦର୍ଶିତ ହୋଇଥିଲା । ଏହା ବ୍ୟତୀତ ବହୁ ସ୍ଥାନୀୟ କଳାକାରଙ୍କୁ ମଧ୍ୟ ତାଙ୍କ କଳାପ୍ରଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା । ମେଳା କମିଟିର ସଭାପତି ତଥା ପଦ୍ମପୁର ଉପଜିଲ୍ଲପାଳ ସାଂସ୍କୃତିକ ମଂଚକୁ ଉଦ୍‌ଘାଟନ କରିଥିବା ବେଳେ ବିଭିନ୍ନ ଦିବସରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ମନ୍ଦର ଟ୍ରଷ୍ଟି ତଥା ବିଡିଓ ସୁରେନ୍ଦ୍ର ସାହୁ, ଉପଖଣ୍ଡ ପୋଲିସ ଅଧିକାରୀ ବିଭୁତିଭୁଷଣ ଭୋଇ, ପାଇକମାଲ ତହସିଲଦାର ଅକ୍ଷୟ ବାଗ, ପୂର୍ତ୍ତବିଭାଗ ମୁଖ୍ୟଯନ୍ତ୍ରୀ ଆଲୋକ ନାୟକ, ସାମାଜିକ କର୍ମୀ ସନ୍ଦେସ ଢୋଲକିଆ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ମେଳା କମିଟି ସଦସ୍ୟ ସୁଶାନ୍ତ ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସର୍ବଶ୍ରୀ ଚିତରଂଜନ ସରାଫ, ଦେବେନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ତ୍ରିପାଠୀ, ସଂଜୀବ ମାଝୀ, ସୁରେନ୍ଦ୍ର ସାହୁ, ପ୍ରେମସାଗର ଫୈାଜଦାର, ପ୍ରଶାନ୍ତ ମିଶ୍ରଙ୍କ ସମେତ ସାଂସ୍କୃତିକ କମିଟି ଓ ମେଳା କମିଟିର ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

9 − 1 =