କନ୍ଧମାଳ ଜିଲ୍ଲାରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ : ବେଲଘର ଥାନା ଅଞ୍ଚଳରେ ଗଛ ପକାଇ ମାଓ ପୋଷ୍ଟର ଛାଡିଲେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଗୁମା ଛକ ମୁଖ୍ୟ ରାସ୍ତାରେ ଶନିବାର ଦିନ ଗଛ ପକାଇ ଚେତାବନୀ ପୂର୍ଣ୍ଣ ଏକାଧିକ ପୋଷ୍ଟର ଛାଡ଼ିଛନ୍ତି ମାଓବାଦୀ । ଭୟରେ ବେଲଘର ତୁମୁଡିବନ୍ଧ ଯାତାୟାତ ଠପ୍‌ ହୋଇଯାଇଛି । ବେଲଘର ଓ ତୁମୁଡିବନ୍ଧକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ୧୦୮ ସମେତ ଏକାଧିକ ଯାନବାହାନ ଅଟକି ରହିଥିଲା ।

ପ୍ରକାଶ ଯେ, କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ଅଞ୍ଚଳ ମାଓପ୍ରବଣ ଭାବେ ଅତ୍ୟନ୍ତ ସମ୍ବେଦନଶୀଳ ବ୍ଲକ ଭାବେ ପରିଚିତ । ଏହାକୁ ଧ୍ୟାନ ଦେଇ ଏହି ବ୍ଲକର ୨ଟି ଥାନା ଯଥା ବେଲଘର ଏବଂ ତୁମୁଡିବନ୍ଧ ଥାନା ଅଞ୍ଚଳରୁ ମାଓବାଦୀ ଦମନ ନିମନ୍ତେ ଇତି ମଧ୍ୟରେ ୪ ଗୋଟି କେନ୍ଦ୍ରୀୟ ସୁରକ୍ଷା ବଳର ଅସ୍ଥାୟୀ ଶିବିର ସ୍ଥାପନ କରିଛନ୍ତି ସରକାର । ତୁମୁଡିବନ୍ଧ ଥାନା ଅଧୀନରେ ତୁମୁଡିବନ୍ଧ, ବେଲଘର ଥାନା ଅଧୀନରେ ବେଲଘର, ଲଙ୍କାଗଡ଼ ଏବଂ ଭଣ୍ଡରଙ୍ଗି ଗ୍ରାମରେ ବହୁ ଅର୍ଥ ବ୍ୟୟ କରି ସମସ୍ତ ସୁବିଧା ଉପଲବ୍ଧ କରାଇ ଅସ୍ଥାୟୀ ଶିବିର ସ୍ଥାପନ ହୋଇସାରିଛି । ତେବେ କିଛି ଦିନର ନୀରବତା ପରେ ପୁଣି ଥରେ ଏହି ବ୍ଲକର ଗୁମା ଅଞ୍ଚଳରେ ଯାହା ବେଲଘର ସ୍ଥିତ କେନ୍ଦ୍ରୀୟ ସୁରକ୍ଷା ବଳ ଶିବିରଠାରୁ ମାତ୍ର ୮ କି.ମି ଦୂର ଗୁଚୁକା ଛକରେ ରାସ୍ତା ଉପରେ ଗଛ ପକାଇ ଧମକ ପୂର୍ଣ୍ଣ ପୋଷ୍ଟର ଛାଡ଼ି ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ମାଓବାଦୀ ଛାଡିଯାଇଥିବା ପୋଷ୍ଟରରେ ଆଶା, ଅଙ୍ଗନବାଡିଙ୍କ ଦାବୀକୁ ରାଜ୍ୟ ସରକାର ଶୀଘ୍ର ମାନିନେବାକୁ ଲେଖାଥିବା ସହିତ ସମୁଦାୟ ୧୨ ଗୋଟି ଦାବୀକୁ ସରକାର ଯଥାଶୀଘ୍ର ପୂରଣ କରିବାକୁ ଚେତାବନୀ ଦିଆଯାଇଛି । ତେବେ ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଘଟଣା ସ୍ଥଳରେ ବେଲଘର ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ପହଞ୍ଚି ପୋଷ୍ଟର ଉଦ୍ଧାର କରି ଗଛ ରାସ୍ତାରୁ ହଟାଇ ଯାନବାହାନ ଚଳାଚଳ ସ୍ୱଭାବିକ କରିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଥିବା ଜଣାପଡିଛି । ଅନ୍ୟପଟେ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

fifteen − thirteen =