pakka

ବିଦ୍ୟୁତ କଲୋନୀ ବିଦ୍ୟାଳୟରେ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଦ୍ୟୁତ କଲୋନୀର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଏହି ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଭାଷା ହେଉଛି ଗୋଟିଏ ଜାତିର ଅସ୍ମିତା । ଭାଷାରୁ ଦେଶ ଏବଂ ଭାଷାରୁ ଜାତି ଗଠିତ ହୁଏ । ମାତୃଭାଷା ମଣିଷର ସ୍ବାଭିମାନକୁ ପ୍ରଜ୍ଜ୍ଵଳିତ କରିଥାଏ । ଯେଉଁ ଜାତିର ଭାଷା ଯେତେ ଦୁର୍ବଳ ସେ ଜାତି ସେତେ ଦୁର୍ବଳ । କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ରୂପେ ସ୍ଵୀକୃତି ପାଇଲା ୧୧ ମାର୍ଚ୍ଚ ୨୦୧୪ରେ ସରକାର ଗେଜେଟରେ ଶାସ୍ତ୍ରୀୟ ଭାଷା ଘୋଷଣା କଲେ । ଓଡ଼ିଶା ସରକାର ପର୍ବ ପାଳନ କଲେ କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆମ ଭାଷା ଗମ୍ଭୀରା ଘର ଭିତରୁ ବାହାରି ରାଜରାସ୍ତାରେ ଚାଲି ପାରିଲା ନାହିଁ । ସରକାରୀ ଘୋଷଣାନାମା ଘୋଷଣାରେ ରହିଯାଇଛି । ବଜାରରେ ଓଡ଼ିଆରେ ନାମ ଫଳକଟିଏ ଦେଖିବାକୁ ମିଳୁନାହିଁ । କୋର୍ଟ କଚେରୀ କଥା ପଚାରେ କିଏ ? ଦଣ୍ଡ ବିଧାନ ଅଛି ହେଲେ ଆଜି ଯାଏଁ ଜଣେ ଭାଷା ଖିଲାପକାରୀ ଦଣ୍ଡିତ ହୋଇ ନାହାନ୍ତି ବୋଲି କହିଥିଲେ । ମୁଖ୍ୟ ଅତିଥି କବି, ନାଟ୍ୟକାର ପ୍ରଫୁଲ୍ଲ କୁମାର ସାମଲ ଓଡ଼ିଆ ଜାତୀୟତାକୁ ନେଇ ଏକ ସୁନ୍ଦର କବିତା ପାଠ କରିଥିଲେ ଏବଂ କହିଲେ ପ୍ରତିଟି ଓଡିଆ ଛାତ୍ରଛାତ୍ରୀ ଓଡ଼ିଆ ଭାଷାର ସ୍ବାଭିମାନକୁ ବଜାୟ ରଖିଲେ ଦେଶର ସ୍ବାଭିମାନ ରକ୍ଷା କରାଯାଇ ପାରିବ । ସଭାପତି ଶ୍ରୀ ଦୁବେ କହିଲେ ଓଡ଼ିଆ ଭାଷା ଏକ ପ୍ରାଚୀନତମ ଭାଷା, ଏହାକୁ ଆମେ ସମସ୍ତେ ବ୍ୟବହାର କଲେ ଆମମାନଙ୍କ ମନରେ ଥିବା ହୀନମନ୍ୟତା ଆପେ ଆପେ ଦୂର ହୋଇଯିବ ଏହି ସଭାରେ ଶିକ୍ଷୟତ୍ରୀ ନିବେଦିତା ମହାନ୍ତି, ବୀଣାପାଣି ରାୟ, ଓଡ଼ିଆ ଭାଷା ଓ ଐତିହ୍ୟ ଉପରେ ସୁନ୍ଦର ବକ୍ତବ୍ୟ ରଖିଥିବା ବେଳେ ଶିକ୍ଷୟିତ୍ରୀ କ୍ଷଣପ୍ରଭା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶାକୁ ନେଇ ବିଭିନ୍ନ ପ୍ରଶ୍ନ ପଚରାଯାଇ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଅମର କୁମାର ସାମଲ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ ।

Leave A Reply

Your email address will not be published.

12 − eight =