ବଲାଙ୍ଗିର, (କେପିଏନ୍ଏସ୍) : ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଓ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଶୁଭାରମ୍ଭ ଦିବସ ରୂପେ ଆଜି ଜିଲ୍ଲା ମୁଖ୍ୟାଳୟରେ ଏହାକୁ ପାଳନ କରାଯାଇଛି । ବାଳିକା ମାନଙ୍କ ସମ୍ମାନ ସମ୍ବଳିତ ନାରାବାଜି ସହ ଏକ ରାଲି ସକାଳୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ କୋଶଳ କଳାମଣ୍ଡଳ ପଡିଆ ଯାଏଁ ଯାଇଥିଲା । ଏଥିରେ ବିଭିନ୍ନ ସ୍କୁଲର ବାଳିକା ମାନେ ସାମିଲ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ନାଏକ ପତାକା ଦେଖେଇ ରାଲି ଆରମ୍ଭ କରିଥିଲେ । ରାଲି ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଏକ ସଭା ଅନୁଷ୍ଠିତ ହେଇଥିଲା । ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତିନିଧି ଶ୍ରୀ ତୁଷାରକାନ୍ତ ଠାକୁର, ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଲମ୍ବୋଦର ଦୀପ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ସିଂ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ତାଙ୍କ ଭାଷଣରେ ଶିଶୁ ସୁରକ୍ଷା, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ କନ୍ୟା ସନ୍ତାନମାନଙ୍କ ଉନ୍ନତି ହେଇପାରିବ ବୋଲି କହିଥିଲେ । ବର୍ତ୍ତମାନ ଶିକ୍ଷା ଏବଂ ଚାକିରି କ୍ଷେତ୍ର ରେ କନ୍ୟା ସନ୍ତାନଙ୍କ ଦବଦବା ରହୁଛି ବୋଲି ପ୍ରକାଶ କରିଥିଲେ । ଆଶା କର୍ମୀ , ମିଶନ ଶକ୍ତି କିମ୍ବା ଅଙ୍ଗନବାଡି ସବୁଠି ମହିଳାମାନେ ଭଲ କାମ କରି ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିପାରିଛନ୍ତି । ତେଣୁ କନ୍ୟାରତ୍ନ ଦେଶ ପାଇଁ ସବୁଠୁ ବଡ ଉତ୍ସ ବୋଲି ସେ କହିଥିଲେ ।
ଆରକ୍ଷୀ ଅଧିକ୍ଷକ ପୋଲିସ ମହିଳା ମାନଙ୍କ ସାଥୀ ହୋଇ କାମ କରୁଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଆପତକାଳିନ ପରିସ୍ଥିତିରେ ୧୧୨ କିମ୍ବା ୧୯୩୦ ଫୋନ କରି ପୋଲିସ ସହାୟତା ନେଇପାରିବେ । ଏବେ ସମସ୍ତ ଥାନାରେ ମହିଳା ଡେସ୍କ ରହୁଛି, ଯାହା ସଂପୂର୍ଣ୍ଣ ମହିଳାଙ୍କ ସେବା ପାଇଁ ଉଦିଷ୍ଟ । ବେଟି ବଚାଓ ବେଟି ପଢ଼ାଓ ଯୋଜନା ପରେ ଶ୍ରେଣୀ ଗୃହରେ ଝିଅଙ୍କ ସଂଖ୍ୟା ବଢିବାରେ ଲାଗିବା ସମାଜ ପାଇଁ ଖୁସିର କଥା ବୋଲି ପରିପ୍ରକାଶ କରିଥିଲେ । ଏହି ସଭାରେ ବିଭିନ୍ନ ବ୍ଲକର ଝିଅ ଟପ୍ପରମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଭା ପଧାନ, ସରସ୍ଵତୀ ସାହୁ , ପ୍ରିୟଙ୍କା ବେହେରା, ଲବଣୀ ମେହେର, ଲିପ୍ସା ରାଣା, ସ୍ମୃତିଶିଖା ପାଣିଗ୍ରାହୀ, ଶ୍ରୁତିପର୍ଣ୍ଣା ମିଶ୍ର, ପ୍ରଜ୍ଞାଶତରୂପା ସାହୁ, ଦିବ୍ୟା ମେହେର, ନିହାରିକା ପଧାନ, ଲିପିକା ପୁଟେଲ , ପ୍ରମିତା ମେହେର, ଜାହ୍ନବୀ ସାହୁ, ପ୍ରାର୍ଥନା ପଟେଲ, ଶୁଭଶ୍ରୀ ବୁଡେକ, ଚିନ୍ମୟୀ କରଙ୍କୁ ୧୩୦୦୦ଟଙ୍କା ଲେଖାଏଁ ଅର୍ଥରାଶିରେ ପୁରସ୍କୁତ କରାଯାଇଥିଲା । ଅପରାହ୍ନରେ ବିଭିନ୍ନ ପ୍ରତିଯୋଗିତା ଏବଂ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରକମ ଆୟୋଜିତ ହୋଇଥିଲା ।