ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ ତରଫରୁ ଶାରଦୀୟ ଆସର

ରାଉରକେଲା, (କେପିଏନ୍‌ଏସ୍‌) : ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦ ତରଫରୁ ଶାରଦୀୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଲୋଚନା ତଥା ସଭାପତି ମନୋନୟନ କାର୍ଯ୍ୟାକ୍ରମ ସ୍ଥାନୀୟ ଗୋପବନ୍ଧୁ ପ୍ରଗତି ପରିଷଦଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାରମ୍ଭରେ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଶଚିନ୍ଦ୍ର କୁମାର ସ୍ୱାଇଁ ଓ ଶ୍ରୀ ନନ୍ଦ । ଦୁର୍ଗା ମା’ଙ୍କ ବିଭିନ୍ନ ରୂପ ସଂପର୍କରେ ବର୍ଣ୍ଣନା କରିଥିଲେ ହରପ୍ରିୟା ପରିଡ଼ା ଓ ହରିହର ବେହେରା । ପରେ ପରେ କବି ସୁଶାନ୍ତ କୁମାର ନାୟକଭ୍‌କ ପ୍ରସ୍ତାବରେ କବି ହରିହର ବେହେରାଙ୍କୁ ଆଗାମୀ ତିନି ବର୍ଷ ପାଇଁ ସଭାପତି ଭାବେ ମନୋନୀତ କରାଯାଇଥିଲା । ଶଚିନ୍ଦ୍ର କୁମାର ସ୍ୱାଇଁ ଏହି ପ୍ରସ୍ତାବକୁ ସମର୍ଥନ କରିଥିଳେ । ପ୍ରକାଶ ଥାଉ କି, ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ନିଧନ ପରେ ସଭାପତି ପଦବୀ ଖାଲି ରହିଥିଲା । ସେହିକ୍ରମରେ ଉପସଭାପତି ଭାବେ ସୁଶାନ୍ତ କୁମାର ନାୟକଙ୍କୁ ମନୋନୀତ କରାଯାଇଥିଲା । କବି ଅଜୟ କୁମାର ବିଶ୍ୱାଳ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । କେବଳ କାର୍ଯ୍ୟକାରୀ ସଭ୍ୟସଭ୍ୟାଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସାଧାରଣ ସଂପାଦକ ଗୌରାଂଗ ଚରଣ ଦାଶ, ଉପସଭାପତି ବିଜୟ କୁମାର ମହାନ୍ତି, ଶ୍ରୀମତୀ ଲକ୍ଷ୍ମୀ ପଣ୍ଡା, ଶ୍ରୀମତୀ ହରପ୍ରିୟା ପରିଡ଼ା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଗାମୀ ବର୍ଷରେ ରଜୋତ୍ସବ ପାଳନ କରାଯିବାକୁ ଏଠାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପରିଶେଷରେ ସଂପାଦିକା ଶ୍ରୀମତୀ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.