ଏବେ ରାଜ୍ୟର ୧୫ଟି ବିଇଡି କଲେଜ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ

ଭୁବନେଶ୍ୱର : ରାଜ୍ୟରେ ବିଇଡି ଓ ଏମଇଡି ପାଠ୍ୟକ୍ରମ ପ୍ରଦାନ କରୁଥିବା ୧୫ଟି ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷାନୁଷ୍ଠାନର ବିଭାଗ ବଦଳିବ । ଏବେ ଏହି ଶିକ୍ଷାନୁଷ୍ଠାନଗୁଡିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବେଳେ ୨୦୨୧ ଜୁନ୍‌ ୧ ତାରିଖରୁ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଯିବ । ଏ ସଂପର୍କରେ ଅକ୍ଟୋବର ୨୨ ତାରିଖରେ ଏକ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଏସ୍‌ସିଇଆରଟିର ନିର୍ଦ୍ଦେଶକ ଗଙ୍ଗାଧର ସାହୁଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ଜୁନ୍‌ରୁ ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷାନୁଷ୍ଠାନର ବିଭାଗ ବଦଳିବା ନେଇ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିବ ।

ମିଳିଥିବା ସୂଚନା ଅନୁସାରେ ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷାନୁଷ୍ଠାନଗୁଡିକୁ ନିକଟରେ ଥିବା ଡିଗ୍ରୀ କଲେଜ ସହ ମିଶ୍ରଣ କରାଯିବ । ଏବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଡିଗ୍ରୀ କଲେଜଗୁଡିକରେ ସେଲ୍ଫ ଫାଇନାନ୍ସ୍‌ ମୋଡ୍‌ରେ ଦିଆଯାଉଥିବା ବିଇଡି ଓ ଏମଇଡି କୋର୍ସକୁ ବନ୍ଦ କରାଯିବ । ଏହି ୧୫ଟି ଶିକ୍ଷକ ପ୍ରଶିକ୍ଷଣ ଶିକ୍ଷାନୁଷ୍ଠାନଗୁଡିକ ଚଳାଇବା ପାଇଁ ବିଭାଗ ପକ୍ଷରୁ ବଜେଟ୍‌ରେ ବ୍ୟବସ୍ଥା କରାଯିବ । ଯାହା ୨୦୨୧-୨୨ରୁ ଗଣଶିକ୍ଷା ବିଭାଗ ଅଧୀନରୁ ଉଚ୍ଚଶିକ୍ଷା ବଜେଟରେ ମିଶିବ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.