pakka

ବିଡିପିଏଲ୍‌ ଚତୁର୍ଥ ଦିବସର ମ୍ୟାଚରେ ସିଂ ୱାରିୟସ ବିଜୟୀ, ସୟଦ ଜାକିଙ୍କ ଶତକ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମିନି ଷ୍ଟାଡିୟମରେ ବରଗଡ଼ ଜିଲ୍ଲା ପ୍ରିମୀୟର ଲିଗ୍‌ର ସପ୍ତମ ସଂସ୍କରଣ ଅନୁଷ୍ଠିତ ହେଉଥିବା ବେଳେ ଶନିବାର ଚତୁର୍ଥ ଦିବସର ପ୍ରଥମ ମ୍ୟାଚରେ ସିଂ ୱାରିୟସ ଏବଂ ବରଗଡ଼ ସ୍ପାର୍ଟନ ମଧ୍ୟରେ ହୋଇଥିବା ବେଳେ ସିଂ ୱାରିୟସ ଦଳ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ସିଂ ୱାରିୟସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସିଂ ୱାରିୟସ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୮୯ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ସୟଦ ଜାକି ୫୮ ବଳରେ ୭ ଛକା ଓ ୧୧ ଚଉକା ସହାୟତାରେ ୧୨୦ ରନ କରି ଅପରାଜିତ ରହିଥିଲେ । ସେହିପରି ରାକେଶ ପ୍ରସାଦ ସିଂହ ୧୪ ରନ କରିଥିଲେ । ବରଗଡ଼ ସ୍ପାର୍ଟନର ରାଜା ବାବୁ ୨୯/୫, ପ୍ରୟାସ ଠାକୁର ୨୬/୧, ରୂପକ ପ୍ରଧାନ ୩୫/୧ ଉଇକେଟ ନେଇଥିଲେ । ୧୯୦ ରନର ବିଜୟ ଲକ୍ଷ୍ୟ ନେଇ ବରଗଡ଼ ସ୍ପାର୍ଟନ ଦଳ ପଡ଼ିଆକୁ ଓହ୍ଲାଇ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୫୫ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଦାସରି ବିବେକ କୁମାର ୫୦ ବଳରେ ୬୩ ରନ ଏବଂ ରୂପକ ପ୍ରଧାନ ୩୦ ରନର ଯୋଗଦାନ କରିଥିଲେ । ସିଂ ୱାରିୟସ ତରଫରୁ ରାହୁଲ ଚୌଧୁରୀ ୨୦/୩ ଏବଂ ଶ୍ରୀକାନ୍ତ ପ୍ରଧାନ ୧୨/୨ ଉଇକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚକୁ ସିଂ ୱାରିୟସ ୩୪ ରନ୍‌ରେ ଜିତି ନେଇଥିଲା । ପ୍ରଦୀପ ନନ୍ଦ ଓ ଅମୀୟ ଭୂଷଣ ସାହୁ ଆମ୍ପାୟର ଦାୟିତ୍ୱ ତୁଲାଇଥିଲେ । ରଜତ ଦାଶ ସ୍କୋରର ଦାୟିତ୍ବ ତୁଳାଇଥିବା ବେଳେ ସନ୍ତୋଷ ନାୟାର ଓ ଶୁଭମ ପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ସିଂ ୱାରିୟାସର ସୟିଦ ଜାକିଙ୍କୁ ଅତିଥି ସାଇ ମଲ୍ଟି ସିଟି ହସ୍ପିଟାଲ୍‌ର ଚେୟାରମେନ ଡା.ପ୍ରବୀଣ ଅଗ୍ରୱାଲ, ବରଗଡ ରୟାଲ ଟାଇଗର ଦଳର ଫ୍ରାଞ୍ଚାଇଜି ସୁବ୍ରତ ମିଶ୍ର, କେରିୟର ପଏଣ୍ଟ କୋଟା ବିପିନ ଗୁପ୍ତା, ଡିସିଏ ଡ଼.ଶୁଭ୍ରାଂଶୁ ଶେଖର ମହାପାତ୍ର ପୁରସ୍କାର ପ୍ରଦାନ କରିଥିଲେ । ସେହିଭଳି ଗତ ୫ ତାରିଖର ବରଗଡ଼ ସ୍ପାର୍ଟନ ଓ ୟୁନାଇଟେଡ଼ ଡ୍ରିମ ଇଲେଭେନ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ସ୍ପାର୍ଟନ ଦଳର ପ୍ରୟାସ ଠାକୁରଙ୍କୁ ଅତିଥି ବରଗଡ ଚେମ୍ବର୍ ଅଫ କମର୍ସର ସଭାପତି ଦିଲୀପ ସାବଡ଼ିଆ, ଭେଡେନର ଯୁବ ବ୍ୟବସାୟୀ ଅନୁପ ବେହେରା, ଭେଡେନର ଦୀପକ ମୋବାଇଲର ମୁଖ୍ୟ ଦୀପକ ଅଗ୍ରୱାଲ, ସିଂ ୱାରିୟାରର ଫ୍ରାଞ୍ଚାଇଜି ରଞ୍ଜିତ ସିଂ, ଡିସିଏର ବରିଷ୍ଠ ସଦସ୍ୟ ସନ୍ତୋଷ ପଣ୍ଡା ପୁରସ୍କାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.

thirteen − 8 =