ଜୟଦେବ ଜୟନ୍ତୀ ସମାରୋହ ଓ ଗୀତିକବି ସମାଜର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଗୀତିକବି ସମାଜ ତରଫରୁ ଓଡିଶାର ମହାନ ଭକ୍ତକବି ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ ଓ ସଂଗଠନର ବିଂଶତମ ବାର୍ଷିକୋତ୍ସବ ଜଗଦା ସ୍ଥିତ ମା’ ବାଟ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଭୋଳେଶ୍ୱର ବେହେରାଙ୍କ ଆବାହକତ୍ୱ ଏବଂ ଉପସଭାପତି ରାମକୃଷ୍ଣ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଆଲୋକ ରଂଜନ ମଲ୍ଲିକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଜାତୀୟ ସୁରକ୍ଷା ସମିତିର ସଂପାଦକ ମଧୁସୂଦନ ମୋହିନୀ, ଆରଏସପିର ପ୍ରାକ୍ତନ ଉପମହାପ୍ରବନ୍ଧକ ଇଂ ପ୍ରତାପ କୁମାର ରାୟ ଓ ଭଞ୍ଜ କଳାକେନ୍ଦ୍ରର ସାଧାରଣ ସଂପାଦକ ରାଧାକୃଷ୍ଣ ମହାପାତ୍ର ତଥା ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ. ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଯୋଗଦେଇ ଜୟଦେବଙ୍କ କୃତି ଓ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଅତିଥିଗଣ ଓ ମୁଖ୍ୟବକ୍ତା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ମହାନ ଭକ୍ତକବି ଶ୍ରୀ ଜୟଦେବ ଉତ୍କଳୀୟ ସଂସ୍କୃତିର ଏକ ମହାର୍ଘ ସଂପତ୍ତି । ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଜୟଦେବ ଓଡିଶାରେ ଏକ ପ୍ରାତଃସ୍ମରଣୀୟ ନାମ । ଭାରତୀୟ ସାହିତ୍ୟରେ ଯେଉଁ କେତେକ କାବ୍ୟ କାଳଜୟୀ ହୋଇପାରିଛି, ସେଥିମଧ୍ୟରୁ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଏକ କାଳଜୟୀ ମହାକାବ୍ୟ । ଏହା ତାଙ୍କର ବାଗ୍ମେୟ ସୃଷ୍ଟି । ସାହିତ୍ୟ ହେଉଛି ବିମୁଗ୍ଧ ଉଚ୍ଚାରଣ । ଗୀତଗୋବିନ୍ଦ ଶୁଣିଲେ ମନରୁ ହତାଶ ଦୂରେଇ ଯାଇ ଏକାଗ୍ରତା ଆସେ । ଏହି ଅବସରରେ ଡାକ୍ତର ଗୀତାଞ୍ଜଳି ପତ୍ରୀ ଓ ବାସନ୍ତୀ ଦାସଙ୍କୁ ଶ୍ରୀ ଶ୍ରୀ ଜୟଦେବ ସମ୍ମାନ ଓ ବିନୋଦିନୀ ନନ୍ଦଙ୍କୁ ଗୀତିକବି ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଚତୁର୍ଦ୍ଦଶ ସଂଖ୍ୟା ଗୀତ ଚନ୍ଦନ, ଅଭିରାମ ରାଉତରାୟଙ୍କ ପ୍ରଣମ୍ୟ ତଥା ସ୍ନେହଲତା ରଣାଙ୍କ ବନପ୍ରଭାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଅଜୟ ପାଣି ଓ ସ୍ମିତା ପାଣି ଜୟଦେବଙ୍କ ସଂଗୀତକୁ ପ୍ରାରମ୍ଭିକ ସଂଗୀତ ଭାବେ ଗାନ କରିଥିବା ବେଳେ ସଭାପତି ଶ୍ରୀ ସାହୁ ସଭାପତିତ୍ୱ ଅଭିଭାଷଣ ସହ ଅନୁଷ୍ଠାନର ଗୀତିକବିତା ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସଂପାଦକ ଶ୍ରୀ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଇଂ ବିଜୟ ସେନାପତିଙ୍କ ସଭାପତିତ୍ୱ, କବି ସୁସ୍ମିତା ମହାପାତ୍ର ଓ ହରପ୍ରିୟା ସାମଲଙ୍କ ସୁସଂଯୋଜନାରେ ଶତାଧିକ କବି କବିତା ପାଠ କରିଥିଲେ । ଶେଷରେ ସଂଗଠନ ସଂପାଦକ ଅଧ୍ୟାପକ କମଳାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ କବି ଓ ସାହିତ୍ୟିକ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିବା ବେଳେ କାର୍ଯ୍ୟକ୍ରମରେ ଗଗନ ବିହାରୀ ନାୟକ, ପ୍ରକାଶ ଚନ୍ଦ୍ର ସେଠୀ, ଅଭିରାମ ପ୍ରଧାନ, ଦେବରାଜ କିଶାନ, ଉପେନ୍ଦ୍ର ବସ୍ତିଆ, ଶ୍ରେୟସି ସାହୁ, ସୁମିତ୍ରା ମିଶ୍ର, ପ୍ରିୟଦର୍ଶନୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.