pakka

ଲଗାଣ ବର୍ଷାରେ ଭୁଷୁଡିଲା ଘର : ପଶିଲା ପାଣି, ଭାଙ୍ଗିଲା କାନ୍ଥ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ଗତ କିଛି ଦିନ ହେବ ପାଟଣାଗଡ ଅଚଂଳରେ ଲଗାଣ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଜମି ବିଲ, ନାଳ, ନଦୀ, ପୋଖରୀ ଉଛୁଲିବାକୁ ଲାଗିଲାଣି । ପାଟଣାଗଡ ଏନସିଏସି ଅଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ ବର୍ଷା ଯୋଗୁଁ ଘରକୁ ପାଣି ପଶିବା ସହ କାନ୍ଥ ଭୁଷୁଡିବାର ଖବର ମଧ୍ୟ ଆସୁଛି । ବନ୍ୟା ପାଣିରେ ଫସିରହି ଥିବା ଲୋକ ଓ ଘର ଭାଙ୍ଗି ଯାଇଥିବା ଲୋକଙ୍କ ପାଖରେ ଜରୁରୀକାଳୀନ ସରକାରୀ ସହାୟତା ପହି ପାରୁ ନଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ, ପାଟଣାଗଡ ବ୍ଲକ ବରପଦର ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ବସ୍ତିରେ ଆଣ୍ଠୁଏ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ସେଠାରେ ରହୁଥିବା ବିନୋଦ ବିହାରି ସୁନା ରାତ୍ରିରେ ପରିବାର ସହିତ ଶୋଇଥିବା ବେଳେ ହଠାତ ଘର ଭିତରେ ଜଳ ସ୍ଥର ବଢିବାରେ ଲାଗିଥିଲା । ପରିବାର ବର୍ଗଙ୍କୁ ତୁରନ୍ତ ସେଠାରୁ ନେଇ ଏକ ସୁରକ୍ଷିତ ସ୍ଥାନରେ ରଖିଥିଲେ । ଏଥିସହ ତାଙ୍କ ଗଚ୍ଛିତ ଖାଦ୍ୟ, ଶସ୍ୟ ଜରୁରୀକାଳୀନ ଆବାସପତ୍ର ନଷ୍ଟ ହୋଇଯାଇଥିବା ଜଣାପଡିଛି । ସେହିପରି ପାଟଣାଗଡ ଏନଏସି ଅନ୍ତର୍ଗତ ୧୩ ନମ୍ବର ୱାର୍ଡରେ ୫ଟି ମାଟି ଘର ସହ ୫ ନମ୍ବର ୱାର୍ଡରେ ୨ଟି ଏବଂ ୧୫ ଓ ୮ ନମ୍ବର ୱାର୍ଡରେ ଗୋଟିଏ ଲେଖାଏଁ ମାଟି ଘର ରାତ୍ରିରେ ଶୋଇଥିବା ବେଳେ ଘର କାନ୍ଥ ପଡି ଭାଙ୍ଗି ଯାଇଥିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଘର ଭାଙ୍ଗି ଯାଇଥିବା ବ୍ୟକ୍ତିମାନଙ୍କ ପାଖରେ ସରକାରୀ ସୁବିଧା ପହଂଚି ନଥିବା ବେଳେ ପର ଘରେ ମୁଣ୍ଡଗୁଞ୍ଜି ଚୁଲୁଥିବା ଅଭିଯୋଗ ହେଉଛି । ଏଥି ସହିତ ବର୍ଷାରୁ ରକ୍ଷା ପାଇବା ପାଇଁ ଭାଙ୍ଗି ଥିବା କାନ୍ଥରେ ଶାଢୀ ଢାଙ୍କି ରହୁଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ବା ଅନ୍ୟ କୌଣସି ସମସ୍ୟା ଉପୁଜିଲେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ହେଲ୍ପ ସେଣ୍ଟର ବା ଟୋଲ ଫ୍ରି ନମ୍ବର ଜାରି କରିବା କଥା । କିନ୍ତୁ ବସ୍ତିରେ ରହୁଥିବା ଲୋକେ କେଉଁଠି ଜରୁରୀକାଳୀନ ହେଲ୍ପ ସେଣ୍ଟର ବା ଜରୁରୀକାଳୀନ ଆଶ୍ରୟ ସ୍ଥଳୀ ଥିବା ଲୋକେ ଜାଣି ନାହାନ୍ତି କି ସହରରେ ଏ ସମ୍ପର୍କିତ ସୂଚନା ମଧ୍ୟ ଜନସାଧାରଣଙ୍କୁ ଦିଆଯାଇ ନଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି । ଆଜି ସୋସିଆଲ ମିଡିଆରେ ଜନମଞ୍ଚ ସିଭିଲ ସୋସାଇଟିର ସଭାପତି ଡିଙ୍ଗର କୁମ୍ଭାର ବର୍ଷା ଯୋଗୁଁ ଅଚଂଳରେ ଘର ଭାଙ୍ଗି ଯାଇଥିବା ଦୃଶ୍ୟକୁ କ୍ୟାମେରାରେ କଏଦ କରିବା ସହ ଏହାର ଅଭିଯୋଗ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟଳୟରେ ପହଂଚିଥିଲେ । ହେଲେ କେତେକ ଅଫିସର ଛୁଟିରେ ଯାଇଥିବା ବେଳେ କେତେକ ଅଫିସମାନଙ୍କୁ ତାଳାପଡିଛି । ଏ ସମ୍ପର୍କରେ ଜନମଞ୍ଚ ସିଭିଲ ସୋସାଇଟିର ସଭାପତି ଶ୍ରୀ କୁମ୍ଭାରଙ୍କୁ ପଚାରିବାରୁ ଗରିବଙ୍କ ଦୁଃଖ ବୁଝିବା ପାଇଁ କେହି ନାହାନ୍ତି ।ଯେତେବେଳେ ଏ ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲା ପରେ କେବଳ କିଛି ଘରମାନଙ୍କୁ ଯାଇ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ପୋଲିଥିନ ଦେଇଛନ୍ତି । କିନ୍ତୁ ଗରିବଙ୍କ ଘର ଭାଙ୍ଗି ଯାଇଥିବାରୁ ସେମାନେ ବିପଦ ଶଙ୍କୁଳ ଘରରେ କିପରି ରହିବେ ଓ କେଉଁଠି ରହିବେ ତାହା ମଧ୍ୟ ବ୍ୟବସ୍ଥା କରାଯାଇ ନଥିବା ଅଭିଯୋଗ କରିଛନ୍ତି । ବର୍ଷାରେ କ୍ଷୟକ୍ଷତି ହୋଇଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ କ୍ଷତି ପୂରଣ ନଦେଲେ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି ଶ୍ରୀ କୁମ୍ଭାର । ଏ ସମ୍ପର୍କରେ ଉପଜିଲ୍ଲାପାଳ ବଜୟାନନ୍ଦ ସେଠୀଙ୍କୁ ପଚାରିବାରୁ ଆଜି ଏକ ପ୍ରଶାସନିକ ଟିମ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରି ଭାଙ୍ଗି ଯାଇଥିବା ଘରମାନଙ୍କୁ ପୋଲିଥିନ ଦିଆଯାଇଛି ଓ ଜରୁରୀକାଳୀନ ପରିସ୍ଥିତିରେ ସବୁ ବେଳେ ତତ୍ପର ରହିଅଛୁ ବୋଲି ପ୍ରତିକ୍ରିୟା ଦେଇଥିଲେ ।

Leave A Reply

Your email address will not be published.

four × 1 =