pakka

ବାରବାଟୀରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ପାଇଁ ଚାଲିଛି ପ୍ରସ୍ତୁତି : ୨୫ ସୁଦ୍ଧା ଶେଷ ହେବ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

bbehera

କଟକ : ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱ କପ୍‌ ଆରମ୍ଭ ହେବ । ଏହାର ଉଦ୍‌ଘାଟନୀ ଉତ୍ସବ ସାରା ରାଜ୍ୟରେ ପାଳନ କରିବାକୁ ସରକାର ଯୋଜନା କରଛନ୍ତି । ୫ଟି ମହାନଗରୀରେ ହକି ବିଶ୍ୱକପ୍‌ ଉତ୍ସବ ପାଳନ ହେବ । ଏହି ୫ଟି ସହର ହେଉଛି କଟକ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର । ବିଶେଷକରି ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିୟମରେ ଏହି ହକି ବିଶ୍ୱକପ୍‌ ଉତ୍ସବ ଧୂମ୍‌ଧାମରେ ପାଳନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେଥିପାଇଁ କଟକ ସହରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ରିଂବନ୍ଧ ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଦୃତ ଗତିରେ ଆଗେଇ ଚାଲିଥିବା ବେଳେ ଟ୍ରାଫିକ ବ୍ୟବସ୍ଥାକୁ ସଂଗଠିତ କରିବା ପାଇଁ ରାସ୍ତାଘାଟର ଜବର ଦଖଲ ଉଚ୍ଛେଦ ଜାରି ରହିଛି । ଏହି ପ୍ରସ୍ତୁତି କାର୍ଯ୍ୟର ତଦାରଖ ଲାଗି ଶନିବାର ପୂର୍ବାହ୍ନରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ସଚିବ ଆର.ଭିନିଲ କ୍ରିଷ୍ଣା ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ତାଙ୍କ ସହ ଆର୍‌ଡିସି ଡ. ସୁରେଶ ଚନ୍ଦ୍ର ଦଳାଇ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଅଗ୍ରଗତି ସଂପର୍କରେ ତଦାରଖ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓସିଏ ସମ୍ମିଳନୀ କକ୍ଷରେ କ୍ରୀଡ଼ା ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ଷ୍ଟାଡିୟମରେ ଦର୍ଶକଙ୍କ ବସିବାର ସୁବନ୍ଦୋବସ୍ତ, ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ପ୍ରସ୍ତୁତି ସହ ଅଗ୍ନି ନିରାପତ୍ତା, ଟ୍ରାଫିକ୍‌ ବ୍ୟବସ୍ଥା, ବିଦ୍ୟୁତ୍‌, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବାକୁ ଅଧିକ ସୁନିଶ୍ଚିତ କରିବାକୁ ଆଲୋଚନା କରାଯାଇଥିଲା । ଜାରି ରହିଥିବା ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଡିସେମ୍ବର ୨୫ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ୱତନ୍ତ୍ର ସାଜସଜ୍ଜା କରାଯିବା ସହ ହକିର ବ୍ରାଣ୍ଡିଂକୁ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରଦର୍ଶନ ପାଇଁ ସ୍ଥିର କରାଯାଇଥିଲା । ବିଭିନ୍ନ ଦେଶର ଖେଳାଳି ଓ ଦର୍ଶକ ଏହି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତା’ଡ଼ଛା ବହୁ ସେଲିବ୍ରେଟି ଓ ବଲିଉଡ୍‌ କଳାକାର ଉତ୍ସବରେ ଯୋଗଦେବେ । ବର୍ତ୍ତମାନ ସୁଦ୍ଧା ଶିଖରପୁର ଠାରୁ ବିଡ଼ାନାସୀ ପର୍ଯ୍ୟନ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତା ନବୀକରଣ, ମରାମତି, ରଙ୍ଗୀନ ଫୁଟପାଥ୍‌ ନିର୍ମାଣ ଓ ଆଗନ୍ତୁକଙ୍କ ପାଇଁ ସିମେଣ୍ଟ ବେଞ୍ଚ ସହ ଖାଲି ସ୍ଥାନରେ ପାର୍କ ଓ ଚିତ୍ତବିନୋଦନ ପଏଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଉତ୍ସବର କାର୍ଯ୍ୟକ୍ରମ ଗୁଡିକ ଯେପରି ଆକର୍ଷଣୀୟ ହେବ ସେଥିପାଇଁ ଗୁରୁତ୍ୱ ଦିଆଯିବ । ସେହିପରି ସଂସ୍କୃତି, ପରମ୍ପରା ଓ କଳାର ବିଭିନ୍ନ ଥିମ୍‌କୁ ନେଇ ରାସ୍ତା କଡରେ ପେଣ୍ଟିଂ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ବୈଠକରେ ଜିଲ୍ଲାପାଳ ଡ.ଭବାନୀ ଶଙ୍କର ଚୟନି, ଏଡିସିପି ଅନିଲ ମିଶ୍ର, ସିଡିଏମ୍‌ଓ ଡା. ସତ୍ୟବ୍ରତ ଛୋଟରାୟ, ଟିପିସିଓଡିଏଲ କଟକ ଅଧୀକ୍ଷଣ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ଅଧୀକ୍ଷଣ ଯନ୍ତ୍ରୀ, ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ, ଓଡ଼ିଶା ଅଲିମ୍ପିକ ଆସୋସିସନର କର୍ମକର୍ତ୍ତା, ଓଏଫ୍‌ଡିସି ଅଧିକାରୀ, ଇଆଣ୍ଡ୍‌ଆଇଟି ବିଭାଗ ପ୍ରତିନିଧି, ଅଗ୍ନିଶମ ସେବା ସଂସ୍ଥା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

1 × 3 =

error: Content is protected !!