ବାଘଛାଲ କାରବାର ବେଳେ ବନ ବିଭାଗର ଚଢ଼ାଉ : ବନ୍ଧୁକ ସହ ବାଇକ ଜବତ, ୩ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଘଛାଲ କାରବାର ସମୟରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି କନ୍ଧମାଳ ଜିଲା ଫୁଲବାଣୀ ବନ ବିଭାଗ । ଅଭିଯୁକ୍ତମାନଙ୍କ ଠାରୁ ବନ କର୍ମଚାରୀମାନେ ଏକ କଲରାପତରିଆ ବାଘଛାଲ, ବନ୍ଧୁକ, କୁଟୁରା ମୁଣ୍ଡ ଏବଂ ୨ଟି ବାଇକ ଜବତ କରିଛି । ଗୁଦାରୀ ଗ୍ରାମ ନିକଟରେ ବାଘଛାଲ ଡିଲ୍ ଚାଲିଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଅଭିଯୁକ୍ତମାନଙ୍କୁ ମାଡ଼ି ବସିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଦଡ଼ିକ ଅଞ୍ଚଳର ପ୍ରଭାତ ମଲିକ (୩୫), ଖଜୁରିପଡ଼ା ଥାନା ଅନ୍ତର୍ଗତ ପାକାଡ଼ାମ୍ବା ଗ୍ରାମର ତ୍ରିନାଥ କହଁର (୫୬) ଏବଂ ଗୁମୁରିଖୋଲ ଅଞ୍ଚଳର ସଂଜୟ ମଲିକ (୪୪) । ଏହି ଅଭିଯୁକ୍ତମାନେ ଜଣେ ଜଣେ ପେଶାଦାର ଶିକାରୀ ବୋଲି ସୂଚନା ମିଳିଛି । ଅଭିଯୁକ୍ତମାନଙ୍କ ନାମରେ ଅନ୍ୟ କେଉଁ ମାମଲା ରହିଛି ତାହାକୁ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଏଥିରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, ଏସିଏଫ୍‌ ମଳୟରଂଜନ କାଲୋ ଏବଂ ସ୍ୱେତଲିନା ସାହୁ ଓ ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା, ବନପାଳ ସରୋଜ ମିଶ୍ର, ପ୍ରେମାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଗତ ଜୁଲାଇ ୨୦ ତାରିଖରେ ମଧ୍ୟ ଟିକାବାଲି ଅଞ୍ଚଳରୁ ବନ କର୍ମଚାରୀମାନେ ବାଘଛାଲ ସହିତ ବନ୍ଧୁକ ଓ ଅନ୍ୟ ବହୁ ସାମଗ୍ରୀ ମଧ୍ୟ ଜବତ କରିଥିବା ବେଳେ ୬ ଜଣଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.