ବଲାଙ୍ଗିର ଜିଲ୍ଲା ଯୁବ ରେଡକ୍ରସ୍‌ର କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟରେ ଭାରତୀୟ ରେଡକ୍ରସ୍‌ ସୋସାଇଟି, ଓଡିଶା ରାଜ୍ୟ ଶାଖା ସହାୟତାରେ ଜିଲ୍ଲା ଯୁବ ରେଡକ୍ରସ୍‌ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଯୁବ ରେଡକ୍ରସର ଆଭିମୁଖ୍ୟ କ’ଣ, ଶିକ୍ଷାନୁଷ୍ଠାନ ମାନଙ୍କରେ ରେଡକ୍ରସ୍‌ର କାମ କ’ଣ, କିଭଳି ଭାବରେ ଆଗାମୀ ଦିନରେ ଯୁବ ରେଡକ୍ରସ୍‌ର କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରାଯାଇ ପାରିବ ସେ ବିଷୟରେ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ବ୍ୟାପକ ଭାବରେ ବିଚାର ବିମର୍ଶ କରାଯାଇଥିଲା । ନୂତନ ଭାବରେ ନୋଡାଲ ସେଣ୍ଟର ହୋଇଥିବା ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିିତ ହୋଇଥିବା ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗ ଦେଇ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ଯଥା ଶୀଘ୍ର ଯୁବ ରେଡକ୍ରସ୍‌ରେ ଯୋଡି ହୋଇ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ ଏଥିପାଇଁ ଜିଲ୍ଲା ରେଡକ୍ରସ୍‌ ପକ୍ଷରୁ ଶିକ୍ଷାନୁଷ୍ଠାନମାନଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗ କରାଯିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ. କୁବେର ଚନ୍ଦ୍ର ମହନ୍ତ ଯୋଗ ଦେଇ ରେଡକ୍ରସର ଆଭିମୁଖ୍ୟ ବିଷୟରେ ସମ୍ୟକ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ତଥା ଜିଲ୍ଲା ଆପତକାଳୀନ ଅଧିକାରୀ ରୀନା କୁମାରୀ ନାଏକ ଯୋଗ ଦେଇ ଯୁବ ରେଡକ୍ରସ୍‌, ଜୁନିୟର ରେଡକ୍ରସ୍‌ ତଥା ଜିଲ୍ଲା ରେଡକ୍ରସ୍‌ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ କହିବା ସଙ୍ଗେ ସଙ୍ଗେ ତାଙ୍କ ବିଭାଗ ପକ୍ଷରୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ରେଡକ୍ରସ୍‌ର ଆବାହକ ତଥା ସମ୍ପାଦକ ଡ. ଅମୃତ ସିଂ ବରିହା ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ରେଡକ୍ରସ୍‌ର ଜିଲ୍ଲା ସଂଯୋଜକ ଡ. ଦୈତ୍ୟାରୀ ପୂଜାରି ସଭା ପରିଚାଳନା କରିବା ସଙ୍ଗେ ସଙ୍ଗେ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଦ୍ୱିତୀୟ ଅଧିବେଶନଟି ଯୁବ ରେଡକ୍ରସ୍‌ ଜିଲ୍ଲା ସଂଯୋଜକ ଡ. ଦୈତ୍ୟାରୀ ପୂଜାରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ରେଡକ୍ରସ୍‌ର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରାଯାଇଥିଲା । ଜିଲ୍ଲାସ୍ତରୀୟ ଶିବିର ତଥା ମଣ୍ଡଳ ସ୍ତରୀୟ ଶିବିର କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି । ୟୁକ୍ରେନ୍‌ ଋଷ ଯୁଦ୍ଧକୁ ନେଇ “ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ” ପ୍ରସ୍ତାବ ଗୃହୀତ ହେଲା । ନୂତନ ଭାବରେ ବଲାଙ୍ଗିର ଜିଲ୍ଲାର ଅନେକ ମହାବିଦ୍ୟାଳୟ ଯୋଡି ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ । ୨୦୨୨-୨୩ ଶିକ୍ଷା ବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ମାନଙ୍କରେ ଯୁବ ରେଡକ୍ରସ୍‌ କିପରି ଭାବରେ କେଉଁ କେଉଁ କାମ କରିବେ ତା’ର ସମସ୍ତ ନିୟମାବଳିକୁ ଡ. ପୂଜାରୀ ଯୁବ ରେଡକ୍ରସ୍‌ର ପରାମର୍ଶଦାତା ତଥା ଅଧ୍ୟକ୍ଷମାନଙ୍କୁ ସମ୍ୟକ ଭାବରେ ସୂଚନା ଦେଇଥିଲେ । ବୈଠକରେ ପୁରୁଷୋତ୍ତମ ଭଞ୍ଜ, ଜଗମୋହନ ପାଢୀ, ଡ. ଲିଙ୍ଗରାଜ ମେହେର, ଜୟନ୍ତ କୁମାର ବାରିକ, ନିରୋଜ ମିଶ୍ର, ରତିକାନ୍ତ ନାଏକ, ବଳଭଦ୍ର ଦାଶ, ପ୍ରହଲ୍ଲାଦ ସାହୁ, ଶମ୍ବୁ ପ୍ରସାଦ ଦାଶ, ସୁରେଶ ଷଡଙ୍ଗୀ, ସୁଦାମ ଚରଣ ଖମାରୀ, ରଶ୍ମୀ ରଞ୍ଜନ ସ୍ୱାଇଁ, ପ୍ରବୀର ସେନାପତି, ରଞ୍ଜିତା ଗୁରୁ, ନିରୁପମା ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ମହାରଣା, ଅମୃତା ମହାପାତ୍ର, ଡ. ରମଣୀ ନାଏକ, ଡ. ମଧୁସ୍ମିତା ମିଶ୍ର, ନୀଳକଣ୍ଠ ନାଗ, ବିଶ୍ୱଭୂଷଣ ବିଶ୍ୱାଳ ତଥା ଅନ୍ୟାନ୍ୟ କର୍ମଚାରୀମାନେ ଅକୁଣ୍ଠ ଚିତ୍ତରେ ସହାୟତା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକାରିଣୀ ବୈଠକରେ ବଲାଙ୍ଗିର ଜିଲ୍ଲାର ପ୍ରାୟ ୭୦ଟି ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପରାମର୍ଶଦାତା ତଥା ଅଧ୍ୟକ୍ଷ ମାନେ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ଅଧ୍ୟାପକ ଡ. କୌତୁକ ପନ୍ଦର ଧନ୍ୟବାଦ ଅର୍ପଣ କରିବା ପରେ ସଭାକାର୍ଯ୍ୟ ସମାପ୍ତ ହୋଇଥିଲେ ।

Leave A Reply

Your email address will not be published.

12 − five =