ଆର୍ଥିକ ଅନିୟମିତତା ସତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ୍‌ ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍ଥିକ ଅନିୟମିତତା ସତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସମବାୟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପାଇପ ପ୍ଲାଣ୍ଟ କୋ-ଅପରେଟିଭ କ୍ରେଡିଟ୍ ସୋସାଇଟିରେ ଏଭଳି ଘଟଣା ଆଧାରିତ ଖବର ମିଳିଥିବା ବେଳେ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସକାଶେ ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଆରଏସପି ପାଖରୁ ଏହି ପ୍ରସଙ୍ଗରେ ସ୍ୱାଭାବିକ ନୀରବତା ଅବଲମ୍ବନ ହେଉଥିବା ବେଳେ ସମବାୟ ବିଭାଗ ଉଚ୍ଚ ସ୍ତରରେ ଏହି ପ୍ରସଙ୍ଗ ମାନ୍ଦା ପଡିଯାଇଛି । ସୂଚନାଯୋଗ୍ୟ ଯେ, ୨୦୦୭-୦୮ରୁ ୨୦୧୪-୧୫ ମଧ୍ୟରେ ଦାୟିତ୍ୱରେ ଥିବା ତତ୍କାଳୀନ ସଂପାଦକ ଜାନକୀ ବଲ୍ଲଭ ପ୍ରଧାନଙ୍କ ସମୟର ଏହି ଆର୍ଥିକ ଅନିୟମିତତା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି । ସେତେବେଳେ ସଦସ୍ୟମାନଙ୍କୁ ସେମାନଙ୍କ କଷ୍ଟ ଅର୍ଜିତ ଜମା ଅର୍ଥରୁ ଯଥୋଚିତ ଡିଭିଡ଼େଣ୍ଡ ବଦଳରେ ମାତ୍ର ପ୍ରାୟ ୦.୬ ପ୍ରତିଶତ ଡିଭିଡ଼େଣ୍ଡ ଦିଆ ଯିବାରୁ ତାହା ସମସ୍ତଙ୍କର ସନ୍ଦେହର କାରଣ ହୋଇଥିଲା । ନିୟମ ବିରୁଦ୍ଧରେ ଯାଇ ସଦସ୍ୟମାନଙ୍କଠାରୁ ନଗଦ ଟଙ୍କା ନିଆଯାଇଥିଲେ ମଧ୍ୟ ଏହାକୁ ସୋସାଇଟିରେ ଜମା କରାଯାଇନଥିଲା । ବିଡମ୍ବନାର ବିଷୟ ହେଉଛି, ଜମା ସକାଶେ ସଦସ୍ୟଙ୍କ ଠାରୁ ନଗଦ ଅର୍ଥ ନ ନେବାକୁ ସୋସାଇଟିରେ ପ୍ରସ୍ତାବ ଗୃହୀତ ହୋଇଥିଲେ ମଧ୍ୟ ଏହି ବ୍ୟବସ୍ଥାର ଉଲଂଘନ କରାଯାଇଥିଲା । ଶ୍ରୀ ପ୍ରଧାନଙ୍କ ପରେ ପରବର୍ତ୍ତୀ ପରିଚାଳନା ପରିଷଦକୁ ସଂପାଦକ ଭାବେ ରଘୁନନ୍ଦନ ମହନ୍ତ ଓ କୋଷାଧ୍ୟକ୍ଷ ଭାବେ କିଶୋର କୁମାର ଚୌଧୁରୀ ନିର୍ବାଚିତ ହୋଇ ଦାୟିତ୍ୱ ନେବା ପରେ ଶ୍ରୀ ପ୍ରଧାନଙ୍କ ଆର୍ଥିକ ଅନିୟମିତତା ସଂପର୍କରେ ଜଣାପଡ଼ିଥିଲା । ଏ ସଂପର୍କରେ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସେ ଏହାକୁ ଏଡାଇଯାଇ କୌଣସି କାଗଜପତ୍ର ସୋସାଇଟିରେ ଦେଖାଇ ପାରିନଥିଲେ ବୋଲି ଅଭିଯୋଗ ହୋଇଛି । ତେଣୁ ଏହାପରେ ସୋସାଇଟି ତରଫରୁ ସଂପାଦକ ଶ୍ରୀ ମହନ୍ତ ଓ ଶ୍ରୀ ଚୌଧୁରୀ ସମବାୟ ବିଭାଗ ପଦସ୍ଥ ଅଧିକାରୀଙ୍କୁ ଜଣାଇବା ସହ ୨୭ ଅଗଷ୍ଟ ୨୦୨୦ରେ ପୋଲିସ ଆଇଜି, ଭୁବନେଶ୍ଵର ସ୍ଥିତ ଇଓଡବ୍ଲୁ ଅଫିସରେ ଅଭିଯୋଗ କରିଥିଲେ । ଏନେଇ ଇଓଡବ୍ଲୁ ଅଫିସ ପକ୍ଷରୁ ରାଉରକେଲା ଏସ୍‌ପିଙ୍କୁ ଚିଠି ଲେଖି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲେ ହେଁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ଜଣାପଡିଛି । ଶ୍ରୀ ପ୍ରଧାନ ଲୋକଙ୍କ ନାମରେ ମିଥ୍ୟା ଋଣ ଦେଖାଇ ସୋସାଇଟି ଫଣ୍ଡରୁ ପ୍ରାୟ ୫୧ ଲକ୍ଷ ୩୩ ହଜାର ୪୮ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଡେ-ବୁକରେ ୧୭ ଲକ୍ଷ ୩୦ ହଜାର ୭୪୪ ଟଙ୍କା ଅଭାବ ଥିଲା ବେଳେ ଲୋକଙ୍କ ନାମରେ ମିଥ୍ୟା ବିଲ୍ କରି ୩୪ ଲକ୍ଷ ୦୨ ହଜାର ୩୦୪ ଟଙ୍କା ନିଆଯାଇଛି । ଯାହାକୁ ସେ ସୋସାଇଟି ପାଖରେ ଜମା କରିନଥିବା ସମ୍ପର୍କରେ ତଥ୍ୟ ମିଳିଛି । ସ୍ୱତନ୍ତ୍ର ଅଡିଟ ରିପୋର୍ଟର କପି ତା.୧୦/୦୭/୨୦୨୦ରେ ସୋସାଇଟିକୁ ହସ୍ତଗତ ହେବା ପରେ ତତ୍‌କ୍ଷଣାତ ବୈଠକ କରି ୧୩/୦୭/୨୦୨୦ ତାରିଖ ଦିନ କରାଯାଇ ଦାୟିତ୍ଵରେ ଥିବା ସଂପାଦକ ଶ୍ରୀ ମହନ୍ତ ଭୁବନେଶ୍ୱର ସ୍ଥିତ ଅଡିଟର ଜେନେରାଲ ଅଫ୍ କୋ- ଅପରେଟିଭ ସୋସାଇଟି ଓ ରେଜିଷ୍ଟ୍ରାର ଅଫ୍ କୋ ଅପରେଟିଭ ସୋସାଇଟି, ଓଆରସିଏସ ସୁନ୍ଦରଗଡ, ଏଆରସିଏସ ପାନପୋଷଙ୍କ ନିକଟରେ ଅଭିଯୋଗ ଫର୍ଦ ପ୍ରଦାନ କରିଥିଲେ । ସେହି ଅନୁସାରେ ଡିସେମ୍ବର ୨୦୨୦ରୁ ସରଚାର୍ୟ ପ୍ରୋସିଡିଂ ଚାଲିଛି । ଇତି ମଧ୍ୟରେ ୭ଟି ତାରିଖ ଗଲାପରେ ବି (କେସ ନଂ ୧୫/୨୦୨୦)ର କୌଣସି ଫଇସଲା ହୋଇପାରିନଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ଆରଏସପି ମୁଖ୍ୟ ପରିଚାଳକ ଏବଂ ପ୍ରଶାସନକୁ ଗତ ତା.୦୮/୦୯/୨୦୨୨ରିଖରେ ଲିଖିତ ଭାବେ ଜଣାଇ ଦିଆଯାଇ କାର୍ଯ୍ୟାନୁଷ୍ଠାନ ସକାଶେ କୁହାଯାଇଛି । ପୂର୍ବରୁ ଏକ ପ୍ରତିନିଧି ଦଳ ଏଠାରୁ ଯାଇ ଭୁବନେଶ୍ୱରରେ ସମବାୟ ବିଭାଗ ନିବନ୍ଧକ (ରେଜିଷ୍ଟାର) ଭେଟି ସମସ୍ତ ବିଷୟ ଅବଗତ କରାଇଥିଲେ ଓ ପୁଣି ଗତ ତା.୧୬/୦୯/୨୦୨୧ରିଖରେ ସୋସାଇଟିର କିଛି ପ୍ରତିନିଧି ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି । ତେଣୁ ଶ୍ରୀ ପ୍ରଧାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ନିକଟରୁ ଏହି ଅର୍ଥ ଆଦାୟ କରାଯିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଦାବୀ କରାଯାଇଛି । ଆର୍ଥିକ ଅନିୟମିତତା ପ୍ରସଙ୍ଗ ପ୍ରଚାରିତ ହେଉଥିବା ଯୋଗୁଁ ସମବାୟ ବିଭାଗ ସମାଲୋଚନାର ସମ୍ମୁଖୀନ ହେଉଛି । ଏହି ଅନିୟମିତତାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ହେଉଥିଲେ ମଧ୍ୟ କିଛି ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯାଉ ନଥିବାରୁ କେତେକ ବିଭାଗୀୟ ଅଧିକାରୀ ଏହି ଦୁର୍ନୀତିକୁ ଘଣ୍ଟ ଘୋଡାଉଥିବା ନେଇ ଉଠୁଥିବା ପ୍ରଶ୍ନକୁ ସମ୍ପୂର୍ଣ୍ଣ ଏଡାଯାଇନପାରେ ବୋଲି କୁହାଯାଉଛି । ଅପରପକ୍ଷେ ସମ୍ପୃକ୍ତ ତତ୍କାଳୀନ ସମ୍ପାଦକଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳୁନଥିବା ସମଗ୍ର ଘଟଣାକୁ ଆହୁରି ଗମ୍ଭୀର କରିଛି ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.

four + 5 =