pakka

ଜିଲ୍ଲା ବିଜୁଳି କମିଟି ବୈଠକ

kalikesh
  • ଭୁଲ ତଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ସଭ୍ୟଗଣ
  • ବିଜୁଳି ସେବା ପାଇବା ଲୋକଙ୍କ ମୌଳିକ ଅଧିକାର- ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ବିଜୁଳି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯଦିଓ ଏହି ବିଜୁଳି କମିଟି ବୈଠକ ତିନି ମାସରେ ଥରେ ବସିବା କଥା, କିନ୍ତୁ କରୋନା ମହାମାରୀ ତଥା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଏହି ବୈଠକ ଦୁଇ ବର୍ଷ ହେଲା ବସିନଥିଲା । ତେଣୁ ଉପସ୍ଥିତ ସଭ୍ୟମାନେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ଏଣୁ ଏଣିକି ତିନି ମାସରେ ଥରେ ଏହି ବୈଠକ ବସାଇବାକୁ ଜିଲ୍ଲାପାଳ ଚଂଚଳ ରାଣା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପସ୍ଥିତ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବିଜୁଳି ବିଭାଗ ତରଫରୁ ପ୍ରଦାନ କରାଯାଇଥିବା ତଥ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ବିଜୁଳି ବିତରଣର ଦାୟିତ୍ୱ ଟାଟା ପାୱାର ନେବା ଦିନ ଠାରୁ ବିଜୁଳି ସେବା ହୁଗୁଳା ହୋଇଗଲାଣି । ବିଭାଗୀୟ ଅଧିକାରୀମାନେ ସହର ତଥା ଗାଁମାନଙ୍କରେ ବିଜୁଳି ପ୍ରଦାନରେ ଅସଫଳ ରହୁଛନ୍ତି । ବିଜୁଳି ସେବା ଏକ ମୌଳିକ ଅଧିକାର, ତେଣୁ ଅଧିକାରୀମାନେ ଏଥିପ୍ରତି ବିଶେଷ ଯତ୍ନବାନ ହେବା ଦରକାର । ଜିଲ୍ଲାପାଳ ଚଂଚଳ ରାଣା ଆଗାମୀ ବୈଠକରେ ଜିଲ୍ଲାର ବିଜୁଳି ସମସ୍ୟା ଥିବା ଗାଁ, ଘରକୁ ଘର ବିଜୁଳି ସଂଯୋଗର ସ୍ଥିତି କ’ଣ, ବିଭିନ୍ନ ଯୋଜନା ଅନୁଯାୟୀ ସେ ସବୁର ଏକ ଭିନ୍ନ ଭିନ୍ନ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗ ପ୍ରଦାନ କରିଥିବା ତଥ୍ୟରେ ଅସାମଞ୍ଜସ୍ୟ ଥିବାରୁ ଏହା ଯେମିତି ଆଗାମୀ ବୈଠକରେ ଏହାର ପୁନରାବୃତ୍ତି ନ ହୁଏ ସେ ଉପରେ ତୁରନ୍ତ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ କହିଥିଲେ । ଏକ ନିର୍ଦ୍ଦିଷ୍ଟ ବିଜୁଳି ଦେୟକୁ ଯେମିତି କମ୍ କରାଯାଇପାରିବ ସେ ଉପରେ ଅଧିକାରୀମାନେ ଉପସ୍ଥିତ ସଭ୍ୟମାନଙ୍କର ସହଯୋଗ କାମନା କରିଥିଲେ । ଏ ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଉପସ୍ଥିତ ସଭ୍ୟମାନେ ପ୍ରତିଶୃତି ଦେଇଥିଲେ । ଯେପରି ଦେୟ ଦେଉଥିବା ଲୋକେ ଦେୟ ଦେଉନଥିବା ଲୋକଙ୍କ ପାଇଁ ହଇରାଣ ନ ହେବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବିଧାୟକ ଶ୍ରୀ ମିଶ୍ର ଅଧିକାରୀମାନଙ୍କୁ କହିଥିଲେ । ବକେୟା ଦେୟ ଯୋଗୁଁ ଯେମିତି କୌଣସି ଗ୍ରାମ ବିଜୁଳି ପାଇବାରୁ ବଂଚିତ ନ ହେବେ ତାହା ଅଧିକାରୀମାନେ ସୁନିଶ୍ଚିତ କରନ୍ତୁ ବୋଲି ସେ କହିଥିଲେ । ଉଚ୍ଚ କ୍ଷମତା ସମ୍ପନ୍ନ ବିଜୁଳି ତାର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କ ଉପରେ ଯାଇଥିବାରୁ ଏହାକୁ ଯେତେ ଶୀଘ୍ର ହେବ ସ୍ଥାନାନ୍ତରଣ କରିବାକୁୁ ଚଂଚଳ ରାଣା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏବଂ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରତିନିଧି ଜିଲ୍ଲାର ଟିଟିଲାଗଡ, ଲୋଇସିଂହା ଓ ପାଟଣାଗଡ ଅଂଚଳରେ ଥିବା ବିଭିନ୍ନ ଗ୍ରୀଡର ସମସ୍ୟା ତଥା ବିଦ୍ୟୁତକରଣ ହୋଇଥିବା ବିଭିନ୍ନ ଗ୍ରାମରେ ଶୀଘ୍ର ବିଦ୍ୟୁତକରଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜାଗା ମିଶନରେ ଚିହ୍ନଟ ହୋଇଥିବା ନୂତନ କଲୋନୀମାନଙ୍କରେ ବିଦ୍ୟୁତକରଣ, ସୁକତେଲ ବିସ୍ଥାପିତମାନଙ୍କ ପାଇଁ ବିଦ୍ୟୁତକରଣକୁ ତ୍ୱରିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ତା’ ଛଡା ମରାମତି ଏବଂ ରକ୍ଷଣାବେକ୍ଷଣ ଆଳ ଦେଖାଇ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଯୋଗୁଁ ଏହା ଉପରେ ରୋକ ଲଗାଇବାକୁ ଉପସ୍ଥିତ ସଭ୍ୟମାନେ ଗୁରୁତ୍ୱାରୋପ କରିଥିଲେ । ଆଜିର ବୈଠକରେ ଅଧିକାରୀମାନଙ୍କ ମଧ୍ୟରେ ଟାଟା ପାୱାରର ଅଧିକ୍ଷଣ ଯନ୍ତ୍ରୀ ରଂଜନ ନାଏକ, ଟାଟା ପାୱାରର ପରିଚାଳନା ମୁଖ୍ୟ ସୁମିତ ବୋଷ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଜଗଦିଶ ଚନ୍ଦ୍ର ପାତ୍ର, ବିଭୁତି ଭୂଷଣ ଶତପଥି, ଜେନେରାଲ ମ୍ୟାନେଜର ଓପଟିସିଏଲ୍ ସନ୍ତୋଷ କୁମାର ବନଛୋର, ସଂଜୟ କୁମାର ଦେ, ଜିଲ୍ଲା ଯୋଜନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

fourteen + sixteen =