ବରଗଡ଼ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଅଜିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି । ସୂଚନା ମୁତାବକ ଉକ୍ତ ବୈଠକରେ ବରଗଡ଼ ଜିଲ୍ଲା ସଦରମହକୁମା ଡାକ୍ତରଖାନା ପରିସରରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏ ସମ୍ପର୍କରେ ବିଶେଷଜ୍ଞ କମିଟିଙ୍କ ଦ୍ଵାରା ସ୍ଥାନ ନିରୂପଣ ହୋଇ ସରିଥିବା ବେଳେ ଅନ୍ୟାନ୍ୟ ଆବଶ୍ୟକୀୟ ଭିତ୍ତିଭୂମି ଓ ନିଦାନ ସମ୍ପର୍କୀତ ଉପକରଣର ଏକ ଚିଠା ପ୍ରସ୍ତୁତ କରାଯାଇଥିଲା । ଆବଶ୍ୟକ ମୁଖ୍ୟ ସୁବିଧା ମଧ୍ୟରେ ରେଡିଓଥେରାପି, ସିଟି ଷ୍ଟିମୁଲେଟର, ଏଚଡିଆର ବ୍ରିଚଥେରାପି, ଡୁସିମେଟ୍ରି, ଇମୋବିଲାଇଜେସନ, ହିଷ୍ଟୋ ପିଥୋଲୋଜି ଲାବୋରୋଟେରୀ, ଜରୁରୀକାଳୀନ ସେବା, ଦୈନିକ କେମୋ ଥେରାପି ଇତ୍ୟାଦି ବିଚାର ଆଲୋଚନା ହୋଇଥିଲା । ସେହିପରି ରେଡିଓଥେରାପି ୟୁନିଟ ପାଇଁ ୧୦୦/୧୦୦ ଫୁଟ୍‌ର ଏକ ପ୍ରକୋଷ୍ଠ ନିର୍ମାଣ କରାଯିବା ସହ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ହେବ । ହସ୍ପିଟାଲ ପାଇଁ ଆବଶ୍ୟକୀୟ ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ ଓ ପରିସ୍କାର ପରିଚ୍ଛନ୍ନତା ପାଇଁ ଆବଶ୍ୟକ କର୍ମଚାରୀ ନିଯୁକ୍ତି ସହିତ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ଶାରିରୀକ ପଣ୍ଡିତ, ଆଚାର୍ୟ୍ୟ ହରିହର କ୍ୟାନସର ହସ୍ପିଟାଲରେ ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ, ଓଡ଼ିଶା ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ଯାମିନୀ ଷଡଙ୍ଗୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.