jayashree

ଖପ୍ରାଖୋଲରେ ବ୍ଲକସ୍ତରୀୟ ଗାଁ ସାଥି ସଂଘର ବୈଠକ

  • ବେଆଇନ ଭାବେ ଗାଁ ସାଥୀ ଛଟେଇକୁ ବିରୋଧ, ବିଡ଼ିଓଙ୍କୁ ଦେଲେ ଦାବୀପତ୍ର

ପାଟଣାଗଡ଼, (ଗୋରେଖନାଥ ବରି‌ହା) : ସ୍ଥାନୀୟ ବ୍ଲକ ସଭା ଗୃହଠାରେ ବ୍ଲକସ୍ତରୀୟ ଗାଁ ସାଥି ସଂଘର ବୈଠକ ସଂଘ ସଭାପତି ତପିନ୍ଦ୍ର ସୁନାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗାଁ ସାଥିଙ୍କ ବିଭିନ୍ନ ସମସ୍ୟା ଆଲୋଚନା ହୋଇଥିଲା । ଏହି ଅବସରରେ ପଡ଼ିଆବାହାଲ ପଞ୍ଚାୟତ କନଗାଁର ଗାଁ ସାଥି କରମ ସିଂ ଛତର, ସାଲେପାଲି ଗାଁ ସାଥି କ୍ଷେତ୍ର ମେହେର ଓ ପାଚେର ଗାଁର ଗାଁ ସାଥି ଅନାମିକା ସେଠଙ୍କୁ ବେଆଇନ ଭାବେ ଗାଁ ସାଥି ପଦବୀରୁ ବହିଷ୍କାର କରିଥିବା ଅଭିଯୋଗ କରି ବୈଠକରେ ଆଲୋଚନା କରିଥିଲେ । ବୈଠକ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀମ ସେନ କହଁରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଆଗାମୀ ୫ ତାରିଖ ମଧ୍ୟରେ ଉଚିତ୍ ନ୍ୟାୟ ନ ମିଳିଲେ ସଂଘ ତରଫରୁ ବ୍ଲକ ସାରା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଏପିଓ ପ୍ରଶାନ୍ତ କୁମାର ପ୍ରଧାନ ଉପସ୍ଥିତ ଥିବା ବେଳେ ସଂଘ ସମ୍ପାଦିକା ବୈଜୟନ୍ତି ସରାଫ, କରମ ସିଂ ଛତର, କ୍ଷେତ୍ର ମେହେର, ଅନାମିକା ସେଠ, ଯଶୋବନ୍ତ ସାହୁ, ବେଲମତି ମେହେର, ବର୍ଷା ରାଣୀ ତାଣ୍ଡି, କାଞ୍ଚନ ମଲିକ, ସୁରେନ୍ଦ୍ର ମାଝୀ, ରେଖା ରାଣୀ ବରିହା, ପିଙ୍କି କୁମ୍ଭାର, ପ୍ରମିଳା ବିରି, ସାବିତ୍ରୀ ଚୌହାନ, ଦୀପକ ଭୋଇ, ସମେତ ଶତାଧିକ ଗାଁ ସାଥୀ ଉପସ୍ଥିତ ଥିଲେ । ଗାଁ ସାଥି ଛଟେଇ ସଂପର୍କରେ ଏପିଓ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ପଚାରିବାରୁ ବ୍ଲକ ପ୍ରଶାସନ ପାଖରେ କୌଣସି ସୂଚନା ନ ଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.