ଭବାନୀପାଟଣାଠାରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ସ୍ଥାନୀୟ ଓସ୍ଵାନ କେନ୍ଦ୍ରରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଚୂଡାନ୍ତ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଏଥିରେ ସମସ୍ତ ବ୍ଲକର ବିଡିଓ ତଥା ନିର୍ବାହୀ ଅଧକାରୀ, ଏଏନ୍‌ଏସିମାନେ ଓସ୍ୱାନ ମାଧ୍ୟମରେ ଯୋଡ଼ି ହୋଇଥିଲେ । ଏହି ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ମିଶନ ଶକ୍ତି ଦ୍ଵାରା ପ୍ରସ୍ତୁତ ୧ ଲକ୍ଷ ଜାତୀୟ ପତାକା ଜିଲ୍ଲାରେ ମାଗଣାରେ ବଣ୍ଟନ କାର୍ଯ୍ୟକ୍ରମ ରହିଛି ଏବଂ ୧୨.୦୮.୨୦୨୨ରୁ ସମସ୍ତ ବ୍ଲକ, ଏନ୍‌ଏସି ଓ ମ୍ୟୁନିସିପାଲଟିରେ ଏହା ବଣ୍ଟନ କରାଯାଉଛି । ମୁଖ୍ୟ ରାସ୍ତା, ଗଳିମାନଙ୍କରେ ଥିବା ବ୍ୟକ୍ତିଗତ ଘରମାନଙ୍କରେ ଘର ମାଲିକ ଆଜିଠୁ ୧୫ ତାରିଖ ଯାଏଁ ଦିବାରାତ୍ର ଜାତୀୟ ପତାକା ଉଡାଇପାରିବେ । ରାଜ୍ୟ ସରକାର ‘ମହାତ୍ମା ଗାନ୍ଧୀ ଓ ଓଡ଼ିଶା’ ସନ୍ଦେସକୁ ନେଇ ଏହି କାର୍ଯ୍ୟକ୍ରମ ଆସନ୍ତା ୧୬ ଅଗଷ୍ଟରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରଖିଛନ୍ତି । ଏହି ମହୋତ୍ସବ ସମସ୍ତ ସ୍ଵାଧୀନତା ସଂଗ୍ରାମୀଙ୍କ ପରିଶ୍ରମ, ତ୍ୟାଗ ଓ ଦେଶଭକ୍ତି ପ୍ରତି ଅଭିପ୍ରେତ । ଏହି ଅବସରରେ ଜିଲ୍ଲାର ତିନୋଟି ଏନ୍‌ଏସି ଓ ମ୍ୟୁନିସିପାଲଟିରେ ଗଳି, ସାହିମାନଙ୍କରେ ସ୍ଵତନ୍ତ୍ର ସଫେଇ, ସ୍ୱଚ୍ଛତା, ବାହ୍ୟ ମଳତ୍ୟାଗ ମୁକ୍ତ ଅଂଚଳ, ପାଇଖାନା ସ୍ୱଚ୍ଛତା, ଆବର୍ଜନା ସଂଗ୍ରହ ଉପରେ ଗୁରୁତ୍ଵ ଦିଆଯାଇ ବିଶେଷତଃ ବସ୍ତିର ସ୍ୱଚ୍ଛତା ଓ ସଫେଇରେ ଲୋକଙ୍କୁ ସାମିଲ କରାଯିବ ।

ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଦୁଇଟି ଏଲ୍‌ଇଡି ଭ୍ୟାନ ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସହର, ବ୍ଲକ ମୁଖ୍ୟାଳୟ ଓ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ନିର୍ଦ୍ଧାରିତ ରୁଟ୍‌ରେ ଯାଇ ସ୍ଵାଧୀନତା ସଂଗ୍ରାମୀଙ୍କ ଆନ୍ଦୋଳନ, ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀଙ୍କ ପରିଶ୍ରମ, ତ୍ୟାଗ, ସଂପୃକ୍ତି ଓ ଭୂମିକାକୁ ଏହି ଭ୍ୟାନ ପ୍ରଦର୍ଶନ କରିବ । ଯେଉଁ ଅଞ୍ଚଳରେ ଏହି ଭ୍ୟାନ ପ୍ରଦର୍ଶନ କରିବ, ସେଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ, ଘୁମୁରା, ସଭା, ଲୋକବାଦ୍ୟ ସହ ଜନ ପ୍ରତିନିଧି, ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ସରକାରୀ ଅଧିକାରୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ ସାମିଲ ରହିବେ । ସେଭଳି ଏହି ଅବସରରେ ସ୍କୁଲ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ । ମ.ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନିଠାରେ ଶହୀଦ ରେଣ୍ଡୋ ମାଝୀଙ୍କ ସ୍ମୃତିସ୍ତମ୍ବଠାରେ ବିଶେଷ କାର୍ଯ୍ୟକ୍ରମ ହେବ । ଏହି ଅବସରରେ ଆସନ୍ତା ୧୫ ଅଗଷ୍ଟରେ ସ୍ଥାନୀୟ କଳାହାଣ୍ଡି ବିଶ୍ଵବିଦ୍ୟାଳୟଠାରେ ବିଶିଷ୍ଟ ଚିତ୍ରକାରମାନଙ୍କ ସହଯୋଗରେ ପେଣ୍ଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏହି ସ୍ୱତନ୍ତ୍ର ମହୋତ୍ସବରେ ଜିଲ୍ଲାର ସମସ୍ତ ନାଗରିକମାନଙ୍କର ସହଭାଗିତାକୁ ଜିଲ୍ଲାପାଳ କାମନା କରି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିଲେ । ସଭାରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ପଟେଲ, ଉପଜଲ୍ଲାପାଳ ଡ. ବିଶ୍ୱଜିତ୍ ଦାସ, ସିଡ଼ିଏମଓ ଡ. ରଞ୍ଜନ ମିତ୍ର, କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀ, ରେଜିଷ୍ଟ୍ରାର ପିତାମ୍ବର ଭୋଇ, ଡିଆଇପିଆର୍‌ଓ ମନୋଜ ବେହେରା, ଡିଏସ୍‌ଡବ୍ଲୁଓ ଜ୍ୟୋସ୍ନାରାଣୀ ପାତ୍ର, ଡି. ଡବ୍ଲୁଓ ଅରବିନ୍ଦ ରାୟ, ଇଓ ମ୍ୟୁନିସିପାଲଟି ବଳୟ ଦେହୁରୀ, ଡିଇଓ ସୁଶାନ୍ତ ଚୋପଦାର, ଡିପିସି, ଓଏଲ୍‌ଏମଡିପିଏମ ପ୍ରଶାନ୍ତ ମିଶ୍ର, ଡିଏସଓ ସୁଭାସିସ ନାୟକ, ଯୁବ ସଂଯୋଜକ, ନେହେରୁ ଯୁବ କେନ୍ଦ୍ର ପ୍ରସନ୍ନ ମେହେର, ଅତିରିକ୍ତ ତହସିଲଦାର କର୍ଲାମୁଣ୍ଡା ଦିଲ୍ଲୀପ ପାତ୍ରଙ୍କ ସହ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seven + 16 =