- ଜଏଣ୍ଟ କୋଡିନେସନ କମିଟି ଗଠିତ, ସର୍ବସମ୍ମତିକ୍ରମେ ପ୍ରଫେସର ତରୁଣ କୁମାର ମିଶ୍ର କନ୍ଭେନର ଭାବେ ନିର୍ବାଚିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟାଳୟଠାରେ ସମ୍ବଲପୁର ରେଳ ମଣ୍ଡଳ ଅଧିନସ୍ଥ ବିଭିନ୍ନ ଜିଲ୍ଲାର ରେଳ ଉପଭୋକ୍ତା ସଂଘର ସଭାପତି ଓ ସଂପାଦକମାନଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନ କିପରି ଶୀଘ୍ର ହୋଇପାରିବ, ପୁରୀ-ସମ୍ବଲପରୁ ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରଣ, ହୀରାକୁଦ-ବିଶାଖାପାଟଣା ଏକ୍ସପ୍ରେସକୁ ୩ଦିନ ବଲାଙ୍ଗିର ଦେଇ ଦିଲ୍ଲୀ ଯିବା ଆସିବା କରିବା, ଜମ୍ମୁ-ତାୱି ଏକ୍ସପ୍ରେସକୁ ବଲାଙ୍ଗିର ଦେଇ ଚଳାଚଳ କରିବା, ବଲାଙ୍ଗିର ରେଳ ଷ୍ଟେସନଠାରେ ଏକ ୱାସିଙ୍ଗ ସେଣ୍ଟର ସ୍ଥାପନ କରିବା ଆଦି ଦାବୀ ସହ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ରେଳ ବିଭାଗ ପକ୍ଷରୁ ପଶ୍ଚିମ ଓଡିଶାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି ବୋଲି ଉପସ୍ଥିତ ସମସ୍ତ ଜିଲାର ପ୍ରତିନିଧିମାନେ ଉଦ୍ବେଗ ପ୍ରକାଶ କରିଥିଲେ । ତେଣୁ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାମାନଙ୍କୁ ନେଇ ଏକ ଜଏଣ୍ଟ କୋଡିନେସନ କମିଟି ଗଠନ କରାଯିବାକୁ ବୈଠକରେ ପ୍ରସ୍ତାବ ପାରିତ କରାଯାଇଥିଲା । ପରେ ଏହି ସମସ୍ତ ଦାବୀଗୁଡିକ ଉପସ୍ଥାପନ କରିବା ପାଇଁ ଉପସ୍ଥିତ ସମସ୍ତ ଜିଲ୍ଲାକୁ ନେଇ ଏକ କୋଡିନେସନ କମିଟି ଗଠନ କରାଯାଇଥିଲା । ତା’ର ନାଁ ପଶ୍ଚିମ ଓଡିଶା ରେଳ ଉପଭୋକ୍ତା ସଂଘ ସମ୍ମନ୍ୱୟ ସମିତି ନାମରେ ନାମିତ କରାଯିବା ସହ ସର୍ବସମ୍ମତି କ୍ରମେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କୁ ଏହି କମିଟିର କନ୍ଭେନର ଭାବେ ମନୋନୀତ କରାଯାଇଥିଲା । ଜଏଣ୍ଟ କନଭେନର ଭାବେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ସଂପାଦକ ନାରାୟଣ ପାଢୀ ଓ ବରଗଡ ରେଳ ଉପଭୋକ୍ତ ସଂଘର କୃଷ୍ଣଚନ୍ଦ୍ର ପଣ୍ଡା, ଏବଂ କମଳ ଯୋଶୀ(ବରଗଡ)ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ସଦସ୍ୟ ଭାବେ ଗୋରଖନାଥ ସାହୁ(ସୋନପୁର), ବରଗଡ ଜିଲ୍ଲାରୁ କିଶୋର କୁମାର ରଥ ଓ ବୌଦ୍ଧ ଜିଲ୍ଲାରୁ ଦେବାଶିଷ ପୁରୋହିତ, ବଲାଙ୍ଗିର ଜିଲ୍ଲାରୁ ଅଶୋକ କୁମାର ମିଶ୍ର, ପ୍ରଭାକର ମିଶ୍ର, ଦିବାକାର ହୋତା ଓ ରୁତୁରାଜ ସିଂହଙ୍କୁ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ଏହି କମିଟିକୁ ବ୍ୟାପକ କରାଯିବା ସହ ସମସ୍ତ ଜିଲ୍ଲାରୁ ଯେପରି ପ୍ରତିନିଧିତ୍ୱ କରିବେ ସେ ନେଇ ଚେଷ୍ଟା କରାଯିବ ଏବଂ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ପ୍ରତିନିଧିତ୍ୱ କଲେ ଏକ ନୂଆଁ କମିଟ ଗଠନ କରି ସଭାପତି ଓ ସଂପାଦକ ଚୟନ କରାଯିବ । ପୂର୍ଣ୍ଣାଙ୍ଗ କମିଟି ଗଠନ ନହେବା ପର୍ଯ୍ୟନ୍ତ ଏହି କମିଟି କାର୍ଯ୍ୟ କରିବ ବୋଲି ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା । ଏହି କମିଟି ଆଗାମୀ ଦିନରେ ଜି.ଏମ୍ ଭୂବନେଶ୍ୱର, ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ପଶ୍ଚିମ ଓଡିଶାରେ ଥିବା ରେଳ ଷ୍ଟେସନମାନଙ୍କର ଉନ୍ନତିକରଣ, ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନର ବଲାଙ୍ଗିର ପଟରୁ ଚାଲିଥିବା କାମ ଶୀଘ୍ର ତ୍ୱରାନ୍ୱିତ କରିବା, ନୂତନ ରେଳ ଲାଇନଗୁଡିକର ଶୀଘ୍ର ସର୍ଭେକାମ ସାରି ରେଳ ଲାଇନ ପକାଇବା, ରେଳ ଉପଭୋକ୍ତମାନଙ୍କ ମୌଳିକ ସୁବିଧା ସୁଯୋଗ କରିବା ଆଦି ଦାବୀଗୁଡିକୁ ଉପସ୍ଥାପନ କରିବ ବୋଲି ପ୍ରସ୍ତାବ ଗୃହିତ ହୋଇଥିଲା । ଶେଷରେ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସାଧାରଣ ସଂପାଦକ ନାରାୟଣ ପାଢୀ ଧନ୍ୟବାଦ ଦେଇଥିଲେ ।