pakka

ସଇଁତଲାରେ ପ୍ରଥମ ପଞ୍ଚାୟତ ସମିତି ବୈଠକ

  • ସଇଁତଲାକୁ ଏନ୍‌ଏସି ମାନ୍ୟତା ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବଦଳି ଦାବୀ 

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପରିସରର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ପ୍ରଥମ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ଲକ ଅଧ୍ୟକ୍ଷ  ମୋନିକା ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଜିଲ୍ଲାପରିଷଦ ସଭ୍ୟା ରିତାରାଣୀ ଥପା, ପ୍ରମୋଦ ଭୋଇ ଓ ନେହେରୁ ବୁଡ଼େକ ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ସାରା ବ୍ଲକରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣିର ଘୋର ଅଭାବ ଯୋଗୁଁ ଦେଖା ଦେଇଥିବା ବେଳେ ତାକୁ କିଭଳି ଭାବେ ଗୁରୁତ୍ୱର ସହ ନେବା ଓ ଲୋକେ ଜଳଯୋଗାଣ ସୁବିଧା କିପରି ପାଇବେ ତାହା ଆଲୋଚନା ହୋଇଥିଲା । ସରକାର କୃଷକଙ୍କ ପାଇଁ କୋଟି କୋଟି ଟଙ୍କା ଯୋଜନା ପ୍ରଣୟନ କରୁଥିବା ବେଳେ ତାହା ଲୋକମାନଙ୍କ ପାଖରେ ପହଂଚି ପାରୁନାହିଁ । ଯାହା ଫଳରେ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ବ୍ଲକ କୃଷି ଅଧିକାରୀ ଚିତ୍ତ ରଞ୍ଜନ ଶତପଥି ଓ ଆତ୍ମା ଅଧ୍ୟକ୍ଷା ହେମନ୍ତ ସାହୁ ବୈଠକରେ ମୁହାଁମୁହିଁ ହୋଇ କଥା ଲୋକଲୋଚନକୁ ଆସିଥିଲା । ସଇଁତଲା ସରପଞ୍ଚ ସୁବ୍ରତ ନାଗ କହିଲେ ଯେ, ସଇଁତଲା ସହର ଜନଗହଳି ଜାଗା ହୋଇଥିବା ବେଳେ ଯାହା ଫଳରେ ସନ୍ଧ୍ୟା ୭ ଘଣ୍ଟା ହେବା ବେଳକୁ ଅନ୍ଧାର ହେଉଥିବା ବେଳେ ଡ଼ୁମାଳପଡାରୁ ନବୀନ ଛକ ଅଞ୍ଚଳକୁ ସୋଲାର ଲାଇଟର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅନୁରୋଧ  କରିଥିଲେ । ଏହା ସହିତ ସଇଁତଲା ଡାକ୍ତରଖାନାର ଚିକିତ୍ସାଧିକାରୀକୁ ବଦଳି ଦାବୀ, ସଇଁତଲାରେ ଷ୍ଟାଡିୟମ ନିର୍ମାଣ, ସଇଁତଲାକୁ ଏନ୍‌ଏସି ମାନ୍ୟତା, କର୍ଲାବାହାଲି ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା, ସ୍ଥାନୀୟ ଡାକ୍ତରଖାନାରେ ଆହାର କେନ୍ଦ୍ର ଖୋଲିବା,  ସଇଁତଲା ସହରକୁ ପାନୀୟ ଜଳ ଯୋଗାଣ ପାଇଁ ଲାନ୍ଥ ନଦୀ ଆଉ ଏକ କୂଅ ଖନନ କରିବା ସହ ନୂତନ ପାଇପ ବିଛାଇବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାବୀ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ସରପଞ୍ଚ ଶ୍ରୀ ନାଗ ଦାବୀ ଉପସ୍ଥାପନା କରିଥିଲେ । ଅନ୍ୟପଟେ ଦୀର୍ଘ ୨୦୧୬ ମସିହାରୁ ବାଦୀପଡା ଓ ସଇଁତଲାକୁ ସଂଯୋଗ କରୁଥିବା ବ୍ରିଜ ଦୀର୍ଘ ବର୍ଷ ହେଲାଣି ଅଧାପନ୍ତରିଆ ଭାବରେ ପଡି ରହିଛି । ଯାହାଦ୍ଵାରା ଲୋକଙ୍କୁ ଯିବା ଆସିବା ପାଇଁ ଅନେକ କଷ୍ଟକର ହୋଇ ପଡୁଛି । ଅଞ୍ଚଳବାସୀ ଅନେକ ଥର ଜାତୀୟ ରାଜପଥ ଅବରୋଧ ଓ ନଦୀ ଭିତରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ ମଧ୍ୟ କରାଯାଇଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ଗୁରୁତ୍ୱ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଯାହା ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହି ବ୍ରିଜଟି କେବେ ସମ୍ପୂର୍ଣ୍ଣ ହେବ ବୋଲି ସଇଁନ୍ତଲା ଜିଲ୍ଲା ପରିଷଦ ପ୍ରମୋଦ ଭୋଇ ପ୍ରଶ୍ନ କରିଥିଲେ । ସଇଁତଲା ଡାକ୍ତରଖାନାର ଚିକିତ୍ସାଧିକାରୀ ଡ଼ ସମରେନ୍ଦ୍ର ମହାପାତ୍ର ଏହି ବୈଠକରେ ଯୋଗ ଦେଇ ନ ଥିବାବେଳେ ଅସନ୍ତୋଷ ଦେଖାଦେଇଥିବା ବେଳେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହୋଇଛି ଓ ତାଙ୍କୁ ତୁରନ୍ତ ବଦଳି କରି ନୂତନ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ସରପଞ୍ଚ ମାନେ ଦାବୀ କରିଛନ୍ତି । ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା କରାଯାଉ ନାହିଁ, ଅଙ୍ଗନବାଡି କେନ୍ଦ୍ରରେ ନିମ୍ନ ମାନର ଛତୁଆ ବଣ୍ଟନ, ପାନୀୟ ଜଳ ଯୋଗାଣ ଠିକ୍‌ ଭାବେ ହେଉ ନଥିବାରୁ ଅନେକ ଅଭିଯୋଗ ଉଠାଇଥିଲେ । ଶିଷକେଲା ସମିତି ସଭ୍ୟ ଉମାକାନ୍ତ ରଣା, ଟିଲୋତମା ବାଘ, ନରେନ୍ଦ୍ର କଲେତ, ନନ୍ଦି କିଶୋର ବଗର୍ତି, ଅନୁରାଧା ସେଠ ଏହି ସବୁ ଘଟଣା ସମ୍ପର୍କରେ ବୈଠକରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବା ପାଇଁ ବ୍ଲକ ପ୍ରଶାସନକୁ ଦାବୀ କରିଥିଲେ । ଏଥିସହ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ଉପସ୍ଥିତରେ ସରପଞ୍ଚ ଓ ସମିତି ସଭ୍ୟମାନେ ଆଲୋଚନା କରିଥିଲେ । ଉକ୍ତ ସଭାକୁ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ପରିଚାଳନା କରିଥିବା ବେଳେ ଜିପିଇଓ ଲକ୍ଷ୍ମଣ ପଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।   

Leave A Reply

Your email address will not be published.

two × five =