pakka

ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଦ୍ଵିତୀୟ ପ୍ରସ୍ତୁତି ବୈଠକ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ମାର୍ଚ୍ଚ ୭ରୁ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହାକୁ ସଫଳ କରିବା ନିମନ୍ତେ ଆଜି ଜିଲ୍ଲାପାଳ ଅବୋଲି ସୁନୀଲ ନରୱେଣେଙ୍କ ଅଧ୍ୟକ୍ଷତାରେ ସମନ୍ଵୟ କମିଟିର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଦୈତ୍ୟ ନାରାୟଣ ପାଢି କାର୍ଯ୍ୟକ୍ରମର ସୂଚନା ଦେବା ସହ ଏହାର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଔଷଧ ୨ ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା କିମ୍ବା ଗୁରୁତର ରୋଗରେ ପୀଡିତଙ୍କ ବ୍ୟତୀତ ଅନ୍ୟ ସମସ୍ତେ ସେବନ କରିବେ । ଗତ ବର୍ଷ ଫାଇଲେରିଆ ସର୍ବେକ୍ଷଣରେ ଜିଲ୍ଲାର ପ୍ରାୟ ଶତକଡା ୩ ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା, ମାତ୍ର ଗତବର୍ଷ ସାମୂହିକ ଔଷଧ ସେବନ ପରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ କମ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । କ୍ୟୁଲେକ୍ସ ମଶା ଏହି ରୋଗର ବାହକ ଥିବା ବେଳେ ସମସ୍ୟା ଏହା ଯେ, ରୋଗ ସଂକ୍ରମଣ ହେବାର ଅନେକ ବର୍ଷ ପରେ ଯାଇ ରୋଗୀଙ୍କ ହାଇଡ୍ରୋସିଲ ଓ ଗୋଦର ଗୋଡ଼ ଆଦି ଲକ୍ଷଣ ପ୍ରକାଶ ପାଇଥାଏ । ଏହାର ନିରାକରଣ ପାଇଁ


ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଏହି ଦିନ ମାନଙ୍କରେ ଘରକୁ ଘର ଯାଇ ଫାଇଲେରିଆ ରୋଗ ଉପରେ ସଚେତନତା ସୃଷ୍ଟି କରିବା ସହ ବୟସ ଅନୁସାରେ ଫାଇଲେରିଆ ନିରାକରଣ ନିମନ୍ତେ ଉଦ୍ଧିଷ୍ଟ ଔଷଧ ଆଲବେଣ୍ଡାଜଲ ଓ ଡି.ଇ.ସି ଟ୍ୟାବଲେଟ ଖୁଆଇବେ । ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଥିବା ଏବଂ ପେଟପୁରା ଖାଦ୍ୟ ଖାଇବା ପରେ ଔଷଧ ସେବନ କରିବା ନିମନ୍ତେ ବୈଠକରେ ଜଣାଇ ଦିଆଯାଇଥିଲା । ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ସଫଳ ଓ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେବା ସହ କୌଣସି ଯୋଗ୍ୟ ବ୍ୟକ୍ତି ଯେପରି ବାଦ ନପଡ଼ନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହେବା ଏବଂ ସାମୂହିକ ଔଷଧ ସେବନର ନିର୍ଦ୍ଧାରିତ ୦୫ ବର୍ଷ ଅବଧି ମଧ୍ୟରେ ଜିଲ୍ଳାରୁ ଏହି ରୋଗର ମୁଳୋତ୍ପାଟନ ଉପରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଏହାକୁ ଏକ ମିଶନ ରୂପେ ଗ୍ରହଣ କରି ଯେପରି ଭାବରେ ଜିଲ୍ଲାର ପ୍ରତ୍ୟେକ ହିତାଧିକାରୀ ଏହି ଔଷଧ ନିଶ୍ଚିତ ଭାବେ ସେବନ କରିବେ ତାହା ଅଧିକାରୀମାନେ ତଦାରଖ କରିବେ ।


ଜିଲ୍ଲାର ସମସ୍ତ ଗ୍ରାମମାନଙ୍କରେ ବ୍ଲକ ସ୍ତରରେ ବିଡିଓ ମାନେ ଓ ସହରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ମାଇକ୍‌ ଜରିଆରେ ଏହାର ବ୍ୟାପକ ପ୍ରଚାର ପ୍ରସାର କରାଇବେ । କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଘରକୁ ଘର ଯାଇ ଔଷଧ ସେବନ କରିବା ନିମନ୍ତେ ୧୯୬୮ ଜଣ ଔଷଧ ସେବନ କର୍ମୀ ନିୟୋଜିତ କରାଯାଇଛି ଏବଂ କାର୍ଯ୍ୟକୁ ସୁନିଶ୍ଚିତ ଓ ତଦାରଖ କରିବା ନିମନ୍ତେ ୧୯୬ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏଥି ନିମନ୍ତେ ସରକାରଙ୍କ ତରଫରୁ ଆବଶ୍ୟକ ଡିଇସି ଟ୍ୟାବଲେଟ ଓ ଆଲବେଣ୍ଡାଜଳ ଟ୍ୟାବଲେଟ ଜିଲ୍ଲାରେ ପହଞ୍ଚି ସାରିଛି । କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ଏବଂ ବ୍ୟବସ୍ଥିତ ସହ ସୁପରିଚାଳନା କରିବା ନିମନ୍ତେ ସେକ୍ଟର ଲେବେଲ, ବ୍ଲକ ଲେବେଲ ଓ ମୁନିସିପାଲିଟି ଲେବେଲରେ ରେପିଡ ରେସପନ୍ସ ଟିମ୍‌ ଗଠନ କରାଯାଇ ଦାୟିତ୍ଵ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ଡ଼ଃ ନିଶିଥ୍ ଦାସ ସଂଗଠନର ସମସ୍ତ ପ୍ରକାର ସହଯୋଗରେ ହାତ ବଢ଼ାଇ ଥିବା ସୂଚନା ପ୍ରଦାନ କରି ଜିଲ୍ଲାରେ ଫେଲେରିଆର ସ୍ଥିତି, ଅବସ୍ଥିତି ଓ ତାର ନିରାକରଣ ନିମନ୍ତେ ନିଆଯିବାକୁ ଥିବା ବ୍ୟବସ୍ଥା ସମ୍ପର୍କରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ଦ୍ୱାରା ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଡ଼ୋଲାମଣୀ ପଟେଲ, ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର, ବୀରମହାରାଜାପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଡିପିଏମ ଡଃ. ବିଶ୍ଵମ୍ବର ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୌରମଣି ହାଁସଦା, ଜିଲ୍ଲା କଲ୍ୟାଣ ଅଧିକାରୀ ପାଲାକା ରବିନ୍ଦ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ତଥା ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

1 × 3 =