ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ବିଦ୍ୟା ମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ସ୍ୱାଗତ ଭାଷଣ ଓ ପରିଚାଳନା କମିଟିର ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ଶିକ୍ଷାବିତ୍ ଡଃ. ମାନସ ରଞ୍ଜନ ବେହେରା, ସମ୍ପାଦକ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ସହସମ୍ପାଦକ ଦୀନବନ୍ଧୁ ରଥ, କୋଷାଧ୍ୟକ୍ଷ ଉପେନ୍ଦ୍ର ଦାସ, ସଦସ୍ୟା ଦିଲ୍ଲେଶ୍ୱରୀ ମହାନ୍ତ ଓ ସ୍ୱୟଂପ୍ରଭା ମଲ୍ଲିକ ତଥା ବିଦ୍ୟାମନ୍ଦିରର ୫୪ ଜଣ ଆଚାର୍ଯ୍ୟ ଓ ଗୁରୁମା ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶତପଥୀ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଓ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ସଭାପତି ଶ୍ରୀ ପଣ୍ଡା ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଅନୁଷ୍ଠାନର ଥିବା ସମସ୍ତ ସମସ୍ୟାକୁ ମିଳିତ ଭାବେ ସମାଧାନ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଉପସଭାପତି ଡଃ. ବେହେରା ବିଦ୍ୟାଳୟର ଥିବା ଅସୁବିଧାଗୁଡିକର ବିଚାର ବିମର୍ଶ ମାଧ୍ୟମରେ ସମାଧାନ, ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଆବଶ୍ୟକତାକୁ ହୃଦୟଙ୍ଗମ କରି ସେସବୁର ପରିପୂରଣ ଓ ଆସ୍ଥାଭାଜନ, ସମ୍ପାଦକ ଶ୍ରୀ ପାଟ୍ଟଶାଣୀ ଅନୁଷ୍ଠାନ ପାଇଁ ଶାସନ ନୁହେଁ, ଅନୁଶାସନ ସମ୍ପର୍କ ନୁହେଁ, ସମ୍ବନ୍ଧ ଜରୁରୀ ତଥା ଆଚାର୍ଯ୍ୟାମାନଙ୍କର ସହଭାଗିତା ଓ ବିଦ୍ୟାଭାରତୀର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କୋଷାଧ୍ୟକ୍ଷ ଶ୍ରୀ ଦାସ ସହନଶୀଳତା, ଭାଇଚାରା ଓ ଆର୍ଥିକ ବ୍ୟବସ୍ଥାର ଆବଶ୍ୟକ ସୁଧାର, ସହସମ୍ପାଦକ ଶ୍ରୀ ରଥ ଶିକ୍ଷା ଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଚାର୍ଯ୍ର ଶ୍ୟାମସୁନ୍ଦର ସେଠୀ, ଆଚାର୍ଯ୍ୟା ଅଳକା ମହାନ୍ତି, ଲଳିତା ବେହେରା ଓ ମମତା ସାମଲ ଆଲୋଚନାରେ ଅଂଶଗ୍ରହଣ କରି ବିଦ୍ୟାମନ୍ଦିର ପାଇଁ ଶାରିରୀକ ଶିକ୍ଷକଙ୍କ ସହ ଉନ୍ନତ ପାଠାଗାରର ଆବଶ୍ୟକତା, ଛାତ୍ରଛାତ୍ରୀଙ୍କୁ ମୋବାଇଲ ଠାରୁ ଦୂରେଇ ଶ୍ରେଣୀ ଶିକ୍ଷା ଆଡ଼କୁ ଆକୃଷ୍ଟ କରିବା ଓ ଅଭିଭାବକଙ୍କ ଆନ୍ତରିକ ସହଭାଗିତା ସମ୍ପର୍କରେ ମତପୋଷଣ କରିଥିଲେ । ପ୍ରାରମ୍ଭରେ ଶିଶୁ ବାଟିକା, ଶିଶୁ ମନ୍ଦିର ଓ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟା ଓ ଗୁରୁମାମାନେ ନିଜ ପରିଚୟ ପ୍ରଦାନ କରିଥିଲେ । ଶେଷରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶତପଥୀଙ୍କ ଧନ୍ୟବାଦ ଅର୍ପଣ ପରେ ଶାନ୍ତି ପାଠ ସହ ବୈଠକକୁ ସମାପନ କରାଯାଇଥିଲା ।
Prev Post
Next Post