ପ୍ରଥମ ଜିଲ୍ଲା ସମନ୍ୱୟ ବୈଠକ

  • ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୧୦ ଅଗଷ୍ଟରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ ୧୦ରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ଆଶା ଓ ଅଙ୍ଗନୱାଡି କର୍ମୀମାନେ ଏହି ଦିନମାନଙ୍କରେ ଘରକୁ ଘର ଯାଇ ଫାଇଲେରିଆ ରୋଗ ଉପରେ ସଚେତନତା ସୃଷ୍ଟି କରିବା ସହ ବୟସ ଅନୁସାରେ ଫାଇଲେରିଆ ନିରାକରଣ ନିମନ୍ତେ ଉଦ୍ଧିଷ୍ଟ ଔଷଧ ଆଲବେଣ୍ଡାଜଲ, ଡି.ଇ.ସି ଓ ଆଇବରମେକଟିନ ଟ୍ୟାବଲେଟ ଖୁଆଇବେ । ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଥିବା ଏବଂ ପେଟପୁରା ଖାଦ୍ୟ ଖାଇବା ପରେ ଔଷଧ ସେବନ କରିବା ନିମନ୍ତେ ବୈଠକରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼. ବିଶ୍ୱ ରଞ୍ଜନ ପତି ସୂଚନା ଦେବାସହ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଔଷଧ ୨ ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା କିମ୍ବା ଅତିଶୟ ଗୁରୁତର ରୋଗରେ ଶଯ୍ୟା ପୀଡିତଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ସେବନ କରାଯିବ । ଆମ ଜିଲ୍ଲାରେ ଗତ ବର୍ଷ ଫାଇଲେରିଆ ସର୍ବେକ୍ଷଣରେ ଜିଲ୍ଲାର ୬୯ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ମାତ୍ର ଗତବର୍ଷ ସାମୂହିକ ଔଷଧ ସେବନ ପରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ କମ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । କ୍ୟୁଲେକ୍ସ ମଶା ଏହି ରୋଗର ବାହକ ଥିବା ବେଳେ ସମସ୍ୟା ଏହା କି ଏହି ରୋଗ ସଂକ୍ରମଣ ହେବାର ଅନେକ ବର୍ଷ ପରେ ଯାଇ ହାଇଡ୍ରୋସିଲ ଓ ଗୋଦରଗୋଡ଼ ଆଦି ଲକ୍ଷଣ ରୂପରେ ପ୍ରକାଶ ପାଇଥାଏ । ବୈଠକରେ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଅଧ୍ୟକ୍ଷତା କରି ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ସଫଳ ଓ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେବାସହ କୌଣସି ଯୋଗ୍ୟ ବ୍ୟକ୍ତି ଯେପରି ବାଦ ନ ପଡ଼ନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହେବା ଏବଂ ସାମୂହିକ ଔଷଧ ସେବନର ନିର୍ଦ୍ଧାରିତ ୦୫ ବର୍ଷ ଅବଧି ମଧ୍ୟରେ ଜିଲ୍ଲାରୁ ଏହି ରୋଗର ମୂଳୋତ୍ପାଟନ ଉପରେ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଜିଲ୍ଲାର ପ୍ରତ୍ୟେକ ବିଭାଗ ସମନ୍ୱୟ ପୂର୍ବକ କାର୍ଯ୍ୟକ୍ରମରେ ସାମିଲ ହେବାସହ ଜିଲ୍ଲାକୁ ଆଗାମୀ ଦିନରେ ଫାଇଲେରିଆ ମୁକ୍ତ କରିବାକୁ ଯତ୍ନବାନ ହେବାକୁ ଆହ୍ୱାନ କରିଛନ୍ତି । ଜିଲ୍ଲାର ସମସ୍ତ ଗ୍ରାମ ଓ ସହରାଞ୍ଚଳର ଜନବସତି ସମସ୍ତ ଯୋଗ୍ୟ ଲୋକଙ୍କୁ ଔଷଧ ସେବନ କରାଯିବ । କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଘରକୁ ଘର ଯାଇ ଔଷଧ ସେବନ କରିବା ନିମନ୍ତେ ୨୫୮୪ ଜଣ ଔଷଧ ସେବନ କର୍ମୀ ନିୟୋଜିତ କରାଯାଇଛି । ପୁନଶ୍ଚ କାର୍ଯ୍ୟକୁ ସୁନିଶ୍ଚିତ ଓ ତଦାରଖ କରିବା ନିମନ୍ତେ ୨୬୩ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏଥି ନିମନ୍ତେ ସରକାରଙ୍କ ତରଫରୁ ଆବଶ୍ୟକ ଡି.ଇ.ସି ଟ୍ୟାବଲେଟ, ଆଲବେଣ୍ଡାଜଳ, ଆଇଭରମେକ୍ଟିନ ଟ୍ୟାବଲେଟ ଜିଲ୍ଲାକୁ ଆସିବାକୁ ଥିବା ବୈଠକରେ ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ଏବଂ ବ୍ୟବସ୍ଥିତ ସହ ସୁପରିଚାଳନା କରିବା ନିମନ୍ତେ ସେକ୍ଟର ଲେବେଲ, ବ୍ଲକ ଲେବେଲ ଓ ମ୍ୟୁନିସିପାଲିଟି ଲେବେଲରେ ରେପିଡ ରେସପନ୍ସ ଟିମ୍‌ ଗଠନ କରାଯାଇ ଦାୟିତ୍ଵ ଦିଆଯିବା ଉପରେ ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ । କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ଡ଼. ନିଶିଥ ଦାଶ ଏବଂ ରାଜ୍ୟ ଏଣ୍ଟମୋଳାଜିଷ୍ଟ ଦିପ୍ତୀ ମହାପାତ୍ର ପ୍ରମୁଖ ଯୋଗଦାନ କରି ସ୍ୱାସ୍ଥ୍ୟ ସଂଗଠନ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇ ଥିବା ସୂଚନା ପ୍ରଦାନ କରି ଜିଲ୍ଲାରେ ଫାଇଲେରିଆର ସ୍ଥିତି, ଅବସ୍ଥିତି ଓ ତାର ନିରାକରଣ ନିମନ୍ତେ ନିଆଯିବାକୁ ଥିବା ବ୍ୟବସ୍ଥା ସମ୍ପର୍କରେ ପାୱାର ପ୍ରେଜେଣ୍ଟେସନ ଦ୍ୱାରା ତଥ୍ୟ ଭିତ୍ତିକ ଆଲୋଚନା କରି ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ । ଆଜିର ଏହି ପ୍ରଥମ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଭିଭିଡି ଡ଼. ରମେଶ ଚନ୍ଦ୍ର ସ୍ୱାଇଁ, ଡିପିଏଚଓ, ଜିଲ୍ଲା ଟିବି ଅଧିକାରୀ ପଦ୍ମହଂସ ଦୋରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଡି ପି ଏମ ଏନ ଏଚ ଏମ ବିଶ୍ୱମ୍ବର ବେହେରା, ଭେକଟର ବାହିତ ରୋଗ ପରାମର୍ଶଦାତା ଚନ୍ଦ୍ର ଶେଖର ମିଶ୍ର, ଯବ କୀମସନ ପଧାନ, ଜିଲ୍ଲା ସଂଯୋଜକ ଫାଇଲେରିଆ କାର୍ଯ୍ୟକ୍ରମ ତଥା ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସୁବର୍ଣ୍ଣପୁର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

3 + fifteen =

error: Content is protected !!