jsm

ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଆୟୋଜିତ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁରର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୫-୨୬ ଛତ୍ରପୁର ଷ୍ଟାଡିୟମରେ ଜାନୁଆରୀ ୫ ତାରିଖ ଓ ୬ ତାରିଖରେ ବେଶ୍ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇଦିନ ବ୍ୟାପୀ ଚାଲିଥିବା ଏହି କ୍ରୀଡ଼ା ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଛତ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ନିକଟରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ଛତ୍ରପୁର ଷ୍ଟାଡିୟମରେ ପହଞ୍ଚିଥିଲେ । ଏହି ଉତ୍ସବରେ ଖଲ୍ଲିକୋଟ୍‌ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କ୍ରୀଡା ଛାତ୍ରଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ ଏହା ଶାରୀରିକ ସୁସ୍ଥତା ସହିତ ଶୃଙ୍ଖଳା, ନେତୃତ୍ୱ ଓ ସହଯୋଗର ଭାବନାକୁ ବିକଶିତ କରିଥାଏ । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ପାଠପଢ଼ା ସହ କ୍ରୀଡାକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏପରି କ୍ରୀଡା ଉତ୍ସବ ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାକୁ ଉଜାଗର କରିବା ସହ ତାଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ଓ ସ୍ପର୍ଦ୍ଧାତ୍ମକ ଦକ୍ଷତା ବିକାଶ କରିବାରେ ସହାୟକ ହୋଇଥାଏ । କ୍ରୀଡ଼ା ଉତ୍ସବର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖ୍ୟାତି ସଂପର୍ଣ୍ଣ ବଡ଼ିବିଲଡର ବଲାଲ୍‌ ଖାନ୍‌ ଏବଂ ଅନ୍‌ସ୍ଲୋ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଚିତ୍ରା ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ, ଛାତ୍ରଛାତ୍ରୀମାନଙ୍କ ନିକଟରେ କ୍ରୀଡ଼ାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀଙ୍କ ଭିତରେ ଲୁକ୍କାୟିତ ଥିବା ବିଭିନ୍ନ କ୍ରୀଡ଼ା କୌଶଳକୁ କିପରି ବାହାରକୁ ଅଣାଯାଇ ପାରିବ ସେ କ୍ଷେତ୍ରରେ ପ୍ରତ୍ୟେକେ ଚେଷ୍ଟା କରିବା ଉଚିତ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଏହି ଦୁଇଦିନିଆ କ୍ରୀଡା ମହୋତ୍ସବରେ ରନିଂ, ଲଙ୍ଗଜମ୍ପ୍‌, ହାଇଜମ୍ପ୍‌, ସଟ୍‌ପୁଟ ଥ୍ରୋ, ଡିସକସ ଥ୍ରୋ, ମ୍ୟୁଜିକ ଚେୟାର ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ବିଜୟୀ ପ୍ରତିଯୋଗୀମାନଙ୍କୁ ଉଦ୍‌ଯାପନୀ ଉତ୍ସବରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ବାର୍ଷିକ କ୍ରୀଡ଼ା ଉତ୍ସବରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସୁଶାନ୍ତ ଦାସ ଫିଲ୍ଡ ମାର୍ଶାଲ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଅଧ୍ୟାପକ ଡ. ଅଜିତ କୁମାର ସେଠୀ, ରଶ୍ମିରଞ୍ଜନ ବେହେରା, ଅଧ୍ୟାପିକା ଦୁର୍ଗାବାଳା ଟୁଡ଼ୁ, ଶୁଭ୍ରା ପଣ୍ଡା, ଭାରପ୍ରାପ୍ତ ପି.ଇ.ଟି. ସୁଜାତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.