ଅତି ଦହଗଂଜରେ ବିତୁଛି ଜୀବନ : ଆଶା ଓ ଭରସାକୁ ପାଥେୟ କରିଛି କୁନ୍ତୀ

pd

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା ପଂଚାୟତର ସାପଲହର ଗ୍ରାମରେ ବସବାସ କରନ୍ତି କୁନ୍ତୀ ସାହୁ । ବୟସ ମାତ୍ର ୩୮ ବର୍ଷ । ହେଲେ ଦଇବ ସହି ପାରିଲା ନାହିଁ । ପ୍ରାୟ ଏକବର୍ଷ ପୂର୍ବେ ସ୍ୱାମୀ ଘନଶ୍ୟାମଙ୍କ ଅକାଳ ମୃତ୍ୟୁ ପରେ କୁନ୍ତୀର ସ୍ୱପ୍ନର ତାଜମହଲ ନିମିଷକେ ଚୁରମାର ହୋଇ ଧୂଲିସାତ ହୋଇଗଲା । ତାର ନାବାଳକ ଦୁଇ ପିଲାଙ୍କ ସହ ଏକ ଦଦରା ମାଟି ଘରେ ବିତୁଛି ତିନି ପ୍ରାଣୀ କୁଟୁମ୍ବଙ୍କ ଜୀବନ । ସରକାରୀ ସ୍ତରରେ ମିଳୁଛି ମାତ୍ର ୧୫ କିଲୋ ଚାଉଳ, ଏତିକି ହିଁ ତାର ଭରସା । ସ୍ୱାମୀଙ୍କ ମୃତ୍ୟୁ ପରେ ସରକାରୀ ସ୍ତରରେ ସମାଜ ମଙ୍ଗଳ ବିଭାଗ ପକ୍ଷରୁ ମିଳୁଥିବା ୨୦ ହଜାର ଟଙ୍କା ଅନୁକମ୍ପା ରାଶି ଓ ବିଧବା ଭତ୍ତା ପାଇଁ ପାଇକମାଲକୁ ଦୌଡି ଦୌଡି ଏକା ବେଳକେ ନୟାନ୍ତ ହୋଇଲେଣି । ଏଭଳି ସଂଗୀନ ଅଭିଯୋଗର ଫର୍ଦ ସମାଜ ମଙ୍ଗଳ ବିଭାଗ ନାଁରେ ଅନେକ ଅଛି, ତାହା ତଦନ୍ତ ହେଲେ ଜଣାପଡିବ ।

କାରଣ ମୃତ୍ୟୁ ପରେ ମୃତାହତ ବ୍ୟକ୍ତି ବିଶେଷଙ୍କ ପରିବାର ବର୍ଗଙ୍କୁ ୨୦ ହଜାର ଟଙ୍କା ଆର୍ଥିକ ସାହାର୍ୟ୍ୟରେ ବହୁ ବ୍ୟତିକ୍ରମର ଝଲକ ବିଭିନ୍ନ ପତ୍ରପତ୍ରିକାରେ ଆଗରୁ ଅନେକ ଥର ପ୍ରକାଶିତ ହୋଇଥିଲେ ସୁଦ୍ଧା କର୍ମଚାରୀମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ନିଃସହାୟ ମହିଳା ପାଇକମାଲ ବ୍ଲକର ଏ ଯୋଜନାରୁ ବଂଚିତ ହୋଇଛନ୍ତି । ଭତ୍ତା କଥାକୁ ପଚାରେ କିଏ ? ବାରମ୍ବାର ଗୁହାରୀ କରିବାକୁ କୁନ୍ତୀ ଅନେକ ଥର ଭତ୍ତା ଓ ୨୦ ହଜାର ଟଙ୍କା ପାଇବା ଆଶାରେ ଦୌଡି ଦୌଡି ତା’ ପିନ୍ଧିଥିବା ସ୍ଲିପର୍ ଚପଲ ହଳେ ସରି ଗଲାଣି । ବାଦିକଟାରେ କାର୍ୟ୍ୟରତ ପି.ଇ.ଓ ଏବଂ ବ୍ଲକ ବିଏସଏସଓ ଙ୍କ ନିକଟରେ ଗୁହାରୀ କଲେ କଣ ହେବ ଇଚ୍ଛାଶକ୍ତିର ଅଭାବରେ କୁନ୍ତୀ ଆଜି ହାର ମାନି ବାପ ଛେଉଣ୍ଡ ପିଲା ଦୁହିଁଙ୍କୁ ଧରି ବିପଦ ଶଙ୍କୁଳ ଅବସ୍ଥାରେ ଏକ ଦଦରା ପୁରୁଣା ମାଟି ଘରେ କାଟୁଛି ଜୀବନ । ଏଭଳି ଦୁଃଖରେ ଚଳୁଥିବା କୁନ୍ତୀକୁ ସରକାରୀ ସାହାର୍ୟ୍ୟ ମୁତାବକ ବିଧବା ଭତ୍ତା ପ୍ରଦାନ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ତା’ ମୁହଁ ରେ ଚେନାଏ ହସ ଫୁଟାଇବାକୁ ପାଇକମାଲ ବି.ଡି.ଓ.ଙ୍କୁ ଏଠାକାର ଜନସାଧାରଣ ଦାବୀ କରନ୍ତି ।

pp
Leave A Reply

Your email address will not be published.