ଅସହାୟଙ୍କୁ ମାହେଶ୍ୱରୀ ସାହା : ୨ ନାବାଳକଙ୍କ ଚିକିତ୍ସା ପାଇଁ ହାତ ବଢାଇଲେ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବିଭିନ୍ନ ସମୟରେ ଅସହାୟ ରୋଗୀ ଓ ପରିବାର ପ୍ରତି ସାହାଯ୍ୟର ହାତ ବଢାଉଥିବା ଲୋଇସିଂହା ମାହେଶ୍ୱରୀ ସଂଗଠନ ପୁଣି ଅସହାୟ ୨ ପିଲାଙ୍କ ଚିକିତ୍ସା ପାଇଁ ହାତ ବଢାଇଛି । ସୂଚନା ଅନୁ୍‌ଯାୟୀ, ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମସ୍ଥିତ କଲୋନୀପଡାର ଶ୍ରବଣ ବରିହା(୧୨)ଙ୍କ ମୁହଁରେ ଘା’ ବଢୁଥିବା ବେଳେ ନୀଳମତି ନେଟି(୧୮)ଙ୍କ ମୁଣ୍ଡ ପଛପଟେ ମାଂସ ପିଣ୍ଡୁଳା ବଢି ଚାଲିଛି । ଉଭୟ ୨ ପରିବାର ନିଜ ସାମର୍ଥ୍ୟ ଅନୁସାରେ ବହୁ ପ୍ରକାରର ଚିକିତ୍ସା କରି ସାରିଛନ୍ତି । କିନ୍ତୁ କିଛି ସୁଫଳ ପାଇ ନଥିବା ବେଳେ ଉଭୟଙ୍କ ବୟସ ବଢିବା ସଙ୍ଗେ ସଙ୍ଗେ ସମସ୍ୟା ମଧ୍ୟ ବଢି ଚାଲିଛି । ଏ ଖବର ଲୋଇସିଂହା ମାହେଶ୍ୱରୀ ସଂଗଠନ ସଭାପତି ଦେବାଶିଷ ବିଶୋଇ ପାଇ ଝାରମୁଣ୍ଡା ପହଂଚିଥିଲେ । ସ୍ଥାନୀୟ ସରପଂଚଙ୍କ ଉପସ୍ଥିତିରେ ଉକ୍ତ ୨ ପରିବାର ସହ ୨ ପିଲାଙ୍କୁ ଭେଟିଥିଲେ ଏବଂ ନିଜ ବାଇକ ଯୋଗେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିବା ଜଣାପଡ଼ିଛି । ସଭାପତି ଶ୍ରୀ ବିଷୋଇଙ୍କ ଠାରୁ ମିଳିଥିବା ସୂଚନା ଅନୁ୍‌ଯାୟୀ, ଶ୍ରବଣ ବରିହାଙ୍କ ମୁହଁରେ ପ୍ଲାଷ୍ଟିକ ସର୍ଜରୀର ଆବଶ୍ୟକତା ଦୃଷ୍ଟିରୁ କଟକ ନେବାକୁ ପଡୁଥିବା ବେଳେ ନୀଳମତି ନେଟିଙ୍କ ମୁଣ୍ଡ ପଛପଟ ମାଂସ ବୃଦ୍ଧି ପାଇଁ ଅପରେସନର ଆବଶ୍ୟକତା ରହିଛି । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ନୀଳମତି ନେଟିଙ୍କୁ କିଛି ଦିନ ପରେ ବାଲଙ୍ଗିରରେ ଅପରେସନ କରାଯିବା ସହିତ ଶ୍ରବଣ ବରିହାକୁ କଟକ ନେବାର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଏହାସହ ଉକ୍ତ ୨ ଅସହାୟ ପିଲାଙ୍କ ଚିକିତ୍ସା ସରିବା ପର୍ଯ୍ୟନ୍ତ ମାହେଶ୍ୱରୀ ସଂଗଠନ ତାଙ୍କ ସହିତ ରହିଛି ବୋଲି ସଭାପତି ଶ୍ରୀ ବିଶୋଇ ସମେତ ରାଜ ବାଳୁଙ୍କେଶ୍ୱର ନନ୍ଦ, ରେସନ ମେହେର, ଶମ୍ଭୁ ଧରୁଆ ପ୍ରମୁଖ କହିଛନ୍ତି । ତେଣୁ ପ୍ରଶାସନ ମଧ୍ୟ ଏ ଦିଗରେ ଆବଶ୍ୟକ ଦୃଷ୍ଟି ଦେଇ ଉକ୍ତ ୨ ପିଲାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.