ଅଙ୍ଗନୱାଡି କର୍ମୀଙ୍କ ଦରମା ବୃଦ୍ଧି ଦାବୀ କଲେ ଲୋଇସିଂହା ବିଧାୟକ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଉଭୟ ମା’ ଓ ଶିଶୁର ସଂପୂର୍ଣ୍ଣ ଯତ୍ନ ନେଇ ଆସୁଥିବା ଅଙ୍ଗନୱାଡି କର୍ମୀ ଚଳିତ ମହାମାରୀ କରୋନା ସମୟରେ ମଧ୍ୟ ତାଙ୍କର ସେବା ଯୋଗାଇ ଆସୁଛନ୍ତି । ଏପରିକି ଘରଘର ବୁଲି କରୋନା ଲକ୍ଷଣ ଚିହ୍ନଟ, କରୋନା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ କୋଭିଡ଼୍‌ ଯୋଦ୍ଧା ହୋଇଛନ୍ତି । ତେଣୁ ତାଙ୍କର ମାସିକ ଦରମା ୧୫ ହଜାର ଟଙ୍କାକୁ ବୃଦ୍ଧି କରିବା ସକାଶେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଚିଠି ଲେଖି ଦାବୀ କରିଥିବା ଜଣାପଡ଼ିଛିି । ବିଧାୟକ ଡ. ମହାଲିଙ୍ଗଙ୍କ ଚିଠି ସଂଖ୍ୟା.୧୦୩/୧୯.୯.୨୦୨୦ ଅନୁଯାୟୀ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ମଧ୍ୟପ୍ରଦେଶ, କେରଳ ପରି ରାଜ୍ୟ ମାନଙ୍କରେ ଅବସ୍ଥାପିତ ଅଙ୍ଗନୱାଡି କର୍ମୀ ୧୦ ହଜାର ଟଙ୍କାରୁ ଆରମ୍ଭ କରି ୧୫ ହଜାର ଟଙ୍କା ମାସିକ ପ୍ରୋତ୍ସାହନ ରାଶି ପାଉଛନ୍ତି । କିନ୍ତୁ ଓଡିଶାରେ ସର୍ବନିମ୍ନ ୭ ହଜାର ୫ ଶହ ଟଙ୍କା ପାଉଛନ୍ତି, ଯାହାକି ଆନ୍ୟ ରାଜ୍ୟ ତୁଳନାରେ ବହୁତ କମ ବୋଲି ଲେଖିଛନ୍ତି । ସେହିପରି ଜଣେ ମା’ର ଗର୍ଭବତୀ ପଞ୍ଜିକରଣ ଠାରୁ ଆରମ୍ଭ କରି ବିଭିନ୍ନ ଟୀକା, ଶିଶୁର ଜନ୍ମଠାରୁ ୩ ବର୍ଷ ପର୍ଯ୍ୟନ୍ତ ପୃଷ୍ଟିହୀନତାର ଯତ୍ନ ସହ ଅଙ୍ଗନୱାଡି କେନ୍ଦ୍ରରେ ୫ ବର୍ଷ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଛନ୍ତି । ଏହା ସହିତ ବିଭିନ୍ନ ସରକାରୀ ସଚେତନତାବ କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେଉଛନ୍ତି । ଏପରିକି ବହୁ ସମୟରେ ସରକାରଙ୍କ ବିଭିନ୍ନ ସର୍ଭେ କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିବା ବେଳେ ଚଳିତ ବର୍ଷ ମହାମାରୀ କରୋନାର ମୁକାବିଲା ଦିଗରେ ମଧ୍ୟ ଯଥେଷ୍ଟ କାମ କରୁଛନ୍ତି । ତେଣୁ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଡ. ମହାଲିଙ୍ଗ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରେ ଲିଖିତ ଦାବୀ କରିଛନ୍ତି ।

Leave A Reply

Your email address will not be published.