ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ନିଲମ୍ୱିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ତଥା ଦେଶରେ ମହିଳାମାନଙ୍କ ପ୍ରତି ଅସଦାଚରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହିପରି ଦୁର୍ଭାଗ୍ୟ ପୂର୍ଣ୍ଣ ଘଟଣା ଭିଆଇଛନ୍ତି ଜଣେ ସ୍କୁଲ ଶିକ୍ଷକ । ପ୍ରାପ୍ତ ସୁଚନା ଅନୁଯାୟୀ ଟିଟିଲାଗଡ଼ ବ୍ଲକ ପରସରା ପଞ୍ଚାୟତର ସିଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଆସିବା ପରେ ସଂପୃକ୍ତ ସମ୍ପୃକ୍ତ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ତେବେ ଘଟଣାକୁ ଥାନାକୁ ନ ନେଇ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ଭରପୁର ଉଦ୍ୟମ ଚାଲିଥିବା ଜଣାପଡିଛି । ଘଟଣା ସମ୍ଵନ୍ଧରେ ଅଭିଯୋଗ ପାଇବା ପରେ ଟିଟିଲାଗଡ଼ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଭିରାମ ମାଝୀ ଏବଂ କୋଦଣ୍ଡ ଭୋଇ ତଦନ୍ତ ସହ ଏଥିରେ ସତ୍ୟତା ଥିବା ଜାଣିବାକୁ ପାଇଥିଲେ । ଉଭୟ ଅଧିକାରୀ ତଦନ୍ତ ରିପୋର୍ଟ ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥଙ୍କୁ ପ୍ରଦାନ କରିଥିଲେ । ରିପୋର୍ଟ ପାଇବାପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସଂପୃକ୍ତ ଶିକ୍ଷକ ମନୋଜ ବାରିକଙ୍କୁ କାର୍ଯ୍ୟାଳୟ ଚିଠି ନମ୍ବର ୧୭୭୯ ତାରିଖ ୨୯/୮/୨୪ରେ ନିଲମ୍ବନ କରିବା ସହ ବିଜେପୁର ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଆଦେଶ ନ ହେବା ପର୍ଯ୍ୟନ୍ତ ଛୁଟିରେ ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି ସ୍ପର୍ଶକାତର ମାମଲା ପ୍ରଚାରିତ ହେବା ପରେ ସଂପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରାଯିବାକୁ ସାଧାରଣରେ ଦାବି ହୋଇଛି । ଶିକ୍ଷା ବିଭାଗର ଅଧିକାରୀଙ୍କ ତଦନ୍ତ ଯୋଗୁଁ ଏହିଭଳି ହୀନ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସଠିକ ପଦକ୍ଷେପ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.