
କୁଠୁର୍ଲା, (କେପିଏନ୍ଏସ୍) : କୁଡ଼ାସିଂହା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି–୨୦୨୬’ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଠୁର୍ଲାଠାରେ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ସିଆର୍ସିସି ଡୋଳାମଣି ଭୋଇଙ୍କ ନେତୃତ୍ଵରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନଶିକ୍ଷକ ଦଶରଥ ବଗର୍ତ୍ତୀ ସଭାପତିତ୍ଵ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପର୍ଶୁରାମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ବେହେରା ଓ ସମ୍ମାନୀତ ଅତିଥି ଭାବରେ ଅଏଁଲାଚୁଆଁ କ୍ଲଷ୍ଟରର ସିଆର୍ସିସି ହେମନ୍ତ ବେହେରା ଯୋଗଦାନ କରିଥିଲେ । ପଦ୍ମାବତୀ ବଗର୍ତ୍ତୀ ଓ ଧ୍ରୁବଚରଣ ଦାସ ମଞ୍ଚ ସଂଯୋଜନା କରିଥିଲେ । ଉଦ୍ଯାପନୀ ଉତ୍ସବରେ ଶିବତଲା କଷ୍ଟରର ସିଆର୍ସିସି ସ୍ଵାଗତିକା ହୋତା ଓ ବରୁଣ କୁମାର କମ୍ପ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ମହୋତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ବାରଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ, ସାହିତ୍ୟିକ, କଳାତ୍ମକ ଓ ସୃଜନଶୀଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଉତ୍ସାହର ସହ ପ୍ରତିଯୋଗିତାରେ ଭାଗନେଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି, ସୃଜନଶୀଳତାର ପରିପ୍ରକାଶ ତଥା ଶିକ୍ଷା ସହିତ ସହପାଠ୍ୟକ୍ରମ କାର୍ଯ୍ୟକଳାପର ସମନ୍ୱୟ ସାଧନ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମରେ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଅନ୍ୟାନ୍ୟ ଶିକ୍ଷାପ୍ରେମୀ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଧନ୍ୟବାଦ ଅର୍ପଣ କରି ମହୋତ୍ସବର ପରିସମାପ୍ତି ଘଟିଥିଲା ।