
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଆନନ୍ଦ ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଗଁରେଇ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସତ୍ୟନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଗଁରେଇ କ୍ଲଷ୍ଟର ଅନ୍ତର୍ଗତ ୧୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ମୁଖ୍ୟ ଅତିଥି ଭାବେ କର୍ଣ୍ଣାଟେଶ୍ୱର ସାହୁ ଓ ମୁଖ୍ୟବକ୍ତା ଭାବେ ଡକ୍ଟର ବି.ଆର୍. ଆମ୍ବେଦକର ହାଇସ୍କୁଲ, ଗଁରେଇର ପ୍ରଧାନ ଶିକ୍ଷକ ତରୁଣ ପୋଡ଼ ଯୋଗଦେଇ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ମା’ ବାଗ୍ଦେବୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସଭାକୁ ପରାଶର ଲୁହା ପରିଚାଳନା କରିଥିବା ବେଳେ କଟାଡୁଙ୍ଗୁରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଶାଖୁ ଶିକା ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ପ୍ରଧାନ ଶିକ୍ଷକ ମିତ୍ରଭାନୁ ମେହେରଙ୍କ ସମେତ ୧୫ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଗାଇଡ୍ ଶିକ୍ଷକମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ ।