jayashree

ମୁରିବାହାଲ କ୍ଲଷ୍ଟରରେ ସୁରଭି-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ

  • ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ମୁରିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟଥିଲା । ଏହି ଅବସରରେ ମୁରିବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ୱବିହାରୀ ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁରିବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରେତସ୍ୱିନୀ ମାଝୀ, ମୁରିବାହାଲ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ହୃଷିକେଶ ଶିକା ଓ ଏହି ବିଦ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀମୁଖ ବିହାରୀ ଷାଣ୍ଢ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ପାଇଁ ତର୍କ, ବକ୍ତୃତା, ସଙ୍ଗୀତ, ପ୍ରବନ୍ଧ ଲିଖନ, ସୃଜନଶୀଳ ଲିଖନ, ଚିତ୍ରାଙ୍କନ, କୁଇଜ୍, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା, ଗଣିତ ଦୌଡ଼, ଗଣିତ କୁଇଜ୍ ଏବଂ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏହି ସମସ୍ତ ପ୍ରତିଯୋଗିତାରେ ଭାଗନେଇ ନିଜ ନିଜର ପ୍ରତିଭା, ଜ୍ଞାନ, ସୃଜନଶୀଳତା ଓ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଶିକ୍ଷା ସହିତ ସହପାଠ୍ୟକ୍ରମ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସୁରଭି ଭଳି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳ ଚିନ୍ତାଧାରା, ନେତୃତ୍ୱ ଦକ୍ଷତା ଓ ସୁସ୍ଥ ପ୍ରତିଯୋଗିତାର ମନୋଭାବ ସୃଷ୍ଟି କରିବା ସହ ସେମାନଙ୍କ ସାମଗ୍ରିକ ବିକାଶରେ ସହାୟକ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଦାୟିତ୍ୱ ମଦନ ବାଗ ତୁଲାଇଥିବା ବେଳେ ମୁରିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁଷ୍ପାଞ୍ଜଳି ବଡ଼ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କ୍ଳଷ୍ଟରସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଏବଂ ଶିକ୍ଷାକୁ ଆନନ୍ଦଦାୟକ ଓ ସୃଜନଶୀଳ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଛି ।

Leave A Reply

Your email address will not be published.