
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଟିଟିଲାଗଡ଼ ଲାୟନ୍ସ କ୍ଲବର ୪୮ତମ ସ୍ଥାପନା ଦିବସ ଓ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟକ ତଥା ଲାୟନ୍ସ କ୍ଲବର ସଦସ୍ୟ ଲାୟନ୍ ନବୀନ ଜୈନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଏବଂ ଏସ୍ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଉପସ୍ଥିତ ଥିଲେ । ଇନଷ୍ଟଲେସନ୍ ଅଫିସର ଭାବେ ଲାୟନ୍ ୱାଇ. ପି. ଗୋଏଲ, ରିଜିଅନ୍ ଚେୟାରପର୍ସନ୍ ଲାୟନ୍ ଗଙ୍ଗାଧର ଶର୍ମା, ଜୋନ୍ ଚେୟାରପର୍ସନ୍ ଲାୟନ୍ ସନ୍ତୋଷ ମହାନ୍ତି, କେବିନେଟ ଟ୍ରେଜେରର ଲାୟନ୍ ରୋହିତ ଅଗ୍ରୱାଲ, ପାଟଣାଗଡ କ୍ଲବ୍ରୁ ଲାୟନ୍ ଶ୍ରୀକାନ୍ତ ପାତ୍ର, ଲାୟନ୍ ସଦାଶିବ ସରାଫ , କେବିନେଟ ସଦସ୍ୟ ଶ୍ରୀମତୀ ବିନ୍ଦୁ ସାହୁ, ଲିଂଗରାଜ ସାହୁ, ଅଜିତ ପାତ୍ର, ବଲାଙ୍ଗିର କ୍ଲବରୁ ଲାୟନ୍ ନନ୍ଦକିଶୋର ଅଗ୍ରୱାଲଙ୍କ ସମେତ ବିଭିନ୍ନ ଜିଲ୍ଲା ପଦାଧିକାରୀ, ପଡ଼ୋଶୀ କ୍ଲବର ସଭାପତି, ଜୋନ୍ ଚେୟାରପର୍ସନ୍, ସମାଜସେବୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମର ଗରିମା ବୃଦ୍ଧି କରିଥିଲେ । ପ୍ରଥମେ ପ୍ରଭୁ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଜାତୀୟ ସଙ୍ଗୀତ ଗାନ କରିବା ପରେ ଲାୟନ ଗୀତାଞ୍ଜଳି ମହାରଣା ଇନଭୋକେଶନ ପଢ଼ିବା ପରେ ଲାୟନ ଜୁଲି ସାହୁ ପିସ ପ୍ରେୟାର ପଠନ କରିଥିଲେ । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହ କ୍ଲବର ଯେଉଁ ସଦସ୍ୟ ତଥା ତାଙ୍କର ସଂପର୍କୀୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ସମସ୍ତ ଅତିଥୀଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ସ୍ୱାଗତ ଅଭିଭାଷଣ ରଖିଥିଲେ ବର୍ଷ ୨୦୨୫/୨୬ର ସଭାପତି ଲାୟନ ସଞ୍ଜୟ ସୋନି । କ୍ଲବ ସମ୍ପାଦକ ପଙ୍କଜ ନାମଦେବ ବର୍ଷ ତମାମ କରାଯାଇଥିବା କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ । ସେହିପରି ଲିଓ କ୍ଲବ ସଭାପତି ପ୍ରତ୍ୟୁଷ ସାହୁ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଲିଓ ରୋଶନ ଖମାରୀ ତାଙ୍କର ବାର୍ଷିକ ବିବରଣୀ ପାଠ କରିଥିଲେ । ଲାୟନ୍ସ କ୍ଲବର ବର୍ଷ ୨୦୨୬ -୨୭ ପାଇଁ ନୂତନ ସଭାପତି ଭାବେ ଲାୟନ ମନିସ ଗୁପ୍ତା, ସମ୍ପାଦକ ଆବାସ ଖାଁ, କୋଷାଧ୍ୟକ୍ଷ ଶ୍ରୀରାମ ଅଗ୍ରୱାଲ ଓ ତାଙ୍କର ଟିମ ଶପଥ ଗ୍ରହଣ କରିଥିବା ବେଳେ ଲିଓ କ୍ଲବର ନୂତନ ସଭାପତି ଭାବେ ଶ୍ରୀତମ ସାହୁ ଏବଂ ତାଙ୍କର ଟିମ ଓ ବିଭିନ୍ନ ପଦବୀର କାର୍ଯ୍ୟ ପାଇଁ ଅନ୍ୟମାନଙ୍କୁ ଶପଥ ପାଠ କରାଇଥିଲେ ଇନଷ୍ଟଲେଶନ ଅଫିସର ଯମୁନା ପ୍ରସାଦ ଗୋଏଲ । ଶପଥ ଗ୍ରହଣ ସମାରୋହ ସରିବା ପରେ ଅତିଥିଙ୍କ ଦ୍ୱାରା ତିନି ଜଣଙ୍କୁ ସାଇକେଲ ପ୍ରଦାନ କରିଥିଲେ । ଏହି ଅବସରରେ ସହରର ବିଭିନ୍ନ ଅନୁଷ୍ଠାନର ସଭାପତି ଓ ସଦସ୍ୟମାନେ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଲାୟନ୍ ସଞ୍ଜୟ ନାୟକ, ଲାୟନ୍ ଶୈଳେଶ ଗୋଏଲ ଓ ଲାୟନ ଦୀପକ ପୃଷ୍ଟି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଲାୟନ୍ସ ଓ ଲିଓ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।