
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ବେବି ବବଲ୍ସ ପ୍ଲେ ସ୍କୁଲ ପରିସରରେ ମାହେଶ୍ୱରୀ ସଂଗଠନ ପକ୍ଷରୁ ପ୍ରଥମ ମାହେଶ୍ୱରୀ ୟୁଥ କଂକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଂଚଳର ଯୁବପିଢି ଉତ୍ସାହର ସହ ଯୋଗଦେଇ ଜ୍ଞାନ, ନେତୃତ୍ୱ ଏବଂ ସାମାଜିକ ଦାୟିତ୍ୱ ଭଳି ବିଭିନ୍ନ ବିଷୟକୁ ନେଇ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାହେଶ୍ୱରୀ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କଂକ୍ଲେଭର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଯୁବପିଢି କେବଳ ନିଜ କ୍ୟାରିୟର ଗଠନରେ ସୀମିତ ନ ରହି ସମାଜ ଗଠନ, ପରିବେଶ ସୁରକ୍ଷା ଓ ଜନସେବା କ୍ଷେତ୍ରରେ ମଧ୍ୟ ସକ୍ରିୟ ଭୂମିକା ନେବା ଆବଶ୍ୟକ ବୋଲି ସେ କହିଥିଲେ । ବନ୍ୟପ୍ରାଣୀ ସଂରକ୍ଷଣବିତ ଅରିନ୍ଦମ ପରିଚ୍ଛା, ପରିବେଶ ସଂରକ୍ଷଣରେ ଯୁବପିଢିର ଭୂମିକା ଉପରେ ପ୍ରେରଣାଦାୟକ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷୀ ଗଣମାଧ୍ୟମର ସକରାତ୍ମକ ବ୍ୟବହାର, ସୂଚନାର ସତ୍ୟତା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ଯୁବମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବିଶିଷ୍ଟ ଆରଟିଆଇ କର୍ମୀ ହେମନ୍ତ ପଣ୍ଡାଙ୍କ ନେତୃତ୍ୱ, ସ୍ୱଚ୍ଛତା, ସଚେତନ ନାଗରିକତା ଓ ସାମାଜିକ ଦାୟିତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଯୁବମାନଙ୍କ ସହ ବକ୍ତାମାନଙ୍କର ପ୍ରଶ୍ନୋତ୍ତର ପର୍ବ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅଂଶଗ୍ରହଣକାରୀମାନେ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରିଥିଲେ ଏବଂ ବକ୍ତାମାନଙ୍କ ଠାରୁ ଉପଯୋଗୀ ପରାମର୍ଶ ପାଇଥିଲେ । ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସଭାପତି ଶୋଭନ ଅଗ୍ରୱାଲ, ସୂରଜ ପଟେଲ, ଦେବାଶିଷ ପାଣ୍ଡିଆ, ଶୁଭଶ୍ରୀ ପଟ୍ଟନାୟକ, ସ୍ପନ୍ଦନ ପ୍ରଧାନ, ତୃପ୍ତିମୟୀ ମହାପାତ୍ର, ପ୍ରୀତିଶ ସାହୁ, ରିଶଭ କଲତା, ଟୁଲୁ ଦୋରା, ଶିବାନନ୍ଦ ସାହାଣୀ, ପଦ୍ମାଳୟା ବାରିକ, ଶାନ୍ତିଲତା ସାହୁ, ରଚନା ସାହୁ, ସୁହାସିନୀ ଖଣ୍ଡୁଆଲ, ଆୟୁଷ ସାହୁ, ଦୀପକ ତ୍ରିପାଠୀ, ରାଧା ମାଧବ ଦାଶ, ଅମନ ଖାନ, ପ୍ରମୋଦ ସାହୁ, ସୀତାରାମ ସାହୁ, କରନ ବେହେରା ସହଯୋଗ କରିଥିଲେ । ଏହି ଅବସରରେ ମାହେଶ୍ୱରୀ ସଂଗଠନ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ଗଠନମୂଳକ କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି ।
