
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପବିତ୍ର ହରିଶଙ୍କର ବୈଶାଖମେଳା ଅବସରରେ ଆଜି ସେବା ଓ ସମର୍ପଣର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ରଙ୍କ ଉପସ୍ଥିତିରେ ହରିଶଙ୍କର ପୀଠରେ ଭାରତ ସ୍କାଉଟ୍ ଓ ଗାଇଡ୍ ଦ୍ୱାରା “ଜଳଦାନ ସେବା ଶିବିର” ଏବଂ ଜୁନିଅର ରେଡକ୍ରସ୍, ବଲାଙ୍ଗିର ଦ୍ୱାରା ସାମାଜିକ ସେବା ଶିବିରର ଦ୍ୱିତୀୟ ଦିନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମତାପରେ ପୀଠକୁ ଆସୁଥିବା ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏହି ସେବା ଶିବିର ଉପାଦେୟ ପ୍ରମାଣିତ ହେଇଥିଲା । ଥଣ୍ଡା ପାଣି ଓ ଦହି ପାଣି ପାଇ ଭକ୍ତମାନେ ଅପାର ସନ୍ତୋଷ ପ୍ରକାଶ କରିଥିବା ସହ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଗନ୍ଧମାର୍ଦ୍ଦନ ପାହାଡ଼ର ଆର ପାର୍ଶ୍ୱରୁ ନୃସିଂହନାଥ ପୀଠରୁ ପଦଯାତ୍ରା କରି ଆସୁଥିବା ଶ୍ରଦ୍ଧାଳୁମାନେ ଏହି ସେବା ଶିବିରରେ ବଣ୍ଟନ ହେଉଥିବା ପାନୀୟର ସୁବିଧା ଉପଭୋଗ କରି ବହୁତ ଖୁସି ହୋଇଥିଲେ । ଆଜି ପୀଠ ପରିସରରେ ଭକ୍ତମାନଙ୍କର ପ୍ରଚଣ୍ଡ ଭିଡ଼ ଦେଖିବାକୁ ମିଳିଥିଲା । ଜୁନିଅର ରେଡକ୍ରସ୍ କାଉନସିଲର, ସ୍କାଉଟ୍-ଗାଇଡ୍ କ୍ୟାପଟେନ ଓ ଖପ୍ରାଖୋଲ ବ୍ଲକର ପ୍ରଧାନ ଶିକ୍ଷକମାନଙ୍କ ଉତ୍ସର୍ଗୀକୃତ ସେବାକୁ ଦେଖି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ଖୁସିବ୍ୟକ୍ତ କରି ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଏହାସହ କୁଲୁତା, ମେହେର ଓ ରଣା ସମାଜ ପକ୍ଷରୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନଙ୍କ ପାଇଁ ନିଶୁଳ୍କ ଭୋଜନ ବ୍ୟବସ୍ଥା କରାଯାଇଥିବାରୁ ଅଞ୍ଚଳବାସୀମାନଙ୍କ ମନରେ ଭାରି ପ୍ରଶଂସା ଜନ୍ମ ନେଇଛି ।