
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଆର୍ଯ୍ୟ ସମାଜର ୬୩ତମ ବାର୍ଷିକ ଉତ୍ସବ ଓ ଋଷି ନିର୍ବାଣ ପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମରେ ଗୁଜରାଟର ବାନପ୍ରସ୍ଥ ସାଧକ ଆଶ୍ରମର ପୂଜ୍ୟ ସ୍ୱାମୀ ମୁକ୍ତାନନ୍ଦ ପରିବ୍ରାଜକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଋଷି ନିର୍ବାଣର ଅର୍ଥ ଓ ଏହାର ମାର୍ଗ ସମ୍ପର୍କରେ ପ୍ରବଚନ ପ୍ରଦାନ କରିଥିଲେ । ପ୍ରଥମ ଦିବସରେ ଓମ୍ ଧ୍ୱଜା ଉତ୍ତୋଳନ, ଯଜ୍ଞ କାର୍ଯ୍ୟ, ଭଜନ, ପ୍ରବଚନ, ପ୍ରସାଦ ସେବନ, ସନ୍ଧ୍ୟା ଉପାସନା, ସୁନ୍ଦରଗଡ଼ରୁ ଆସିଥିବା ବୈଦିକ ପାଲା ପରିବେଷଣ ଓ ଦ୍ୱିତୀୟ ଦିବସରେ ଯଜ୍ଞ, ଋଷି ନିର୍ବାଣ ଉତ୍ସବ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ଅନୁଷ୍ଠାନର ସଭାପତି ଭଗବାନ ପ୍ରଧାନ ଓ ସମ୍ପାଦକ ବିଚିତ୍ର ମୋହନ ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଘୁନାଥପାଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ ଓ ବାନପ୍ରସ୍ଥ ପ୍ରକାଶ ମୁନୀ ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଦେଷ୍ଣା ନାୟକ, ବିଷ୍ଣୁପ୍ରିୟା ବେହେରା, ହରପ୍ରିୟା ବେହେରା, ଅମିତା ବଳ, ଉପେନ୍ଦ୍ର ନାୟକ, ଅନିଲ କୁମାର ନାୟକ, ରାମେଶ୍ୱର ପଟେଲ, ବାସୁଦେବ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।