jayashree

ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହେଲା ମା’ ପାଟଣେଶ୍ୱରୀଙ୍କ କାଳୀପୂଜା

  • ଦୀପାବଳି ଅମାବାସ୍ୟାରେ ଦକ୍ଷିଣେଶ୍ୱରୀ କାଳୀ ରୂପରେ ପୂଜା ପାଇଲେ ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ପୀଠରେ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି ପାରମ୍ପରିକ କାଳୀପୂଜା । କାର୍ତ୍ତିକ ଅମାବାସ୍ୟା ତଥା ଦୀପାବଳି ଅବସରରେ ମା’ଙ୍କୁ ଦକ୍ଷିଣେଶ୍ୱରୀ କାଳୀ ରୂପରେ ପୂଜାର୍ଚ୍ଚନା କରାଯାଇଛି । ପରମ୍ପରା ଅନୁଯାୟୀ, ପାଟଣା ରାଜ୍ୟର ନୂତନ ରାଜଧାନୀ ବଲାଙ୍ଗିର ସ୍ଥାପନ ହେବା ସମୟରୁ ଦୀପାବଳି ଅମାବାସ୍ୟାରେ ମା’ ପାଟଣେଶ୍ୱରୀଙ୍କୁ ଦକ୍ଷିଣେଶ୍ୱରୀ କାଳୀ ରୂପରେ ପୂଜା କରାଯାଇ ଆସୁଛି । ଏହି ଅବସରରେ ସନ୍ଧ୍ୟାରେ କଳସ ସ୍ଥାପନ ପରେ ରାତି ୧୦ଟାରୁ ଆରମ୍ଭ ହୋଇଥିଲା ମା’ଙ୍କ ଗୁପ୍ତପୂଜା । ପରେ ବଳିପୂଜା, ହୋମଯଜ୍ଞ ଓ ମହାଆଳତି ଭଳି ବିଭିନ୍ନ ଧାର୍ମିକ ବିଧିବିଧାନ ସମ୍ପନ୍ନ ହୋଇଥିଲା । ପଣ୍ଡିତ ଫକିର ଶତପଥୀଙ୍କ ପୌରୋହିତ୍ୟରେ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଶାଶ୍ୱତ ହୋତା ପୂଜାକର୍ତ୍ତା ଭାବେ ଦାୟିତ୍ୱ ତୁଳାଇଥିଲେ । ମନ୍ଦିର ପୂଜକ ମଧୁସୂଦନ ଦିଶ୍ରୀ, ଅଭିନାଶ ଦିଶ୍ରୀ ଓ ଅଙ୍କିତା ଦିଶ୍ରୀ ପୂଜାରେ ସହଯୋଗ କରିଥିଲେ । ଅନ୍ୟପଟେ ଦେବୋତ୍ତର ବିଭାଗ ଓ ଦେବାଳୟ ସୁରକ୍ଷା କମିଟିର ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ପ୍ରଥମଥର ପାଇଁ ମା’ଙ୍କ କାଳୀପୂଜାରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସହର ତଥା ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ଏନେଇ ମନ୍ଦିର କମିଟିର ପୂଜକ ମଧୁସୂଦନ ଦିଶ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.