jayashree

ସ୍ୱାସ୍ଥ୍ୟ, ପ୍ରକୃତି ଏବଂ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ମନୋଜ ହେଲଥ୍ କ୍ଲବ୍ ପକ୍ଷରୁ ସଚେତନତା ବାର୍ତ୍ତା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜିର ଦ୍ରୁତ ଗତିଶୀଳ ଏବଂ ଅତ୍ୟଧିକ ବ୍ୟସ୍ତବହୁଳ ଜୀବନଶୈଳୀରେ, ଲୋକମାନେ ଛୋଟ ଛୋଟ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ମଧ୍ୟ ଔଷଧ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି । ଯେତେବେଳେ ଏଥିରେ କୌଣସି ସମାଧାନ ମିଳେ ନାହିଁ, ସେତେବେଳେ ଏହା ନିରାଶାର କାରଣ ହୋଇଥାଏ । ଏହି ବିଷୟକୁ ଦୃଷ୍ଟିରେ ରଖି, ମନୋଜ ହେଲଥ୍ କ୍ଲବ୍ ପକ୍ଷରୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଉରକେଲା ଜଗଦା ସ୍ଥିତ ବାଟ ମଙ୍ଗଳା ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ, ପ୍ରକୃତି ଏବଂ ସୁସ୍ଥ ଜୀବନଶୈଳୀକୁ ନେଇ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଇଂ ମନୋଜ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜଗଦା ବାଟ ମଙ୍ଗଳା ଠାରେ ମନୋଜ ହେଲଥ୍ କ୍ଲବ୍ ନାମରେ ଏକ ସ୍ୱାସ୍ଥ୍ୟ କ୍ଲବ୍ ଗଠନ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ସ୍ୱାସ୍ଥ୍ୟ, ପ୍ରକୃତି ଏବଂ ସୁସ୍ଥ ଜୀବନଶୈଳୀ ବିଷୟରେ ଜନସଚେତନତା ସୃଷ୍ଟି କରିବା । ମନୋଜ ହେଲଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶକ ଇଂ ମଲ୍ଲିକ ଆଜିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, ପ୍ରକୃତି ଆମକୁ ଅମୂଲ୍ୟ ସମ୍ପଦ ପ୍ରଦାନ କରିଛି । ଆମର ଲକ୍ଷ୍ୟ ହେଉଛି ଏହି ସମ୍ପଦ ଗୁଡ଼ିକର ଉଚିତ ବ୍ୟବହାର ବୁଝିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦୈନନ୍ଦିନ ଜୀବନରେ ଏଗୁଡ଼ିକୁ ପ୍ରୟୋଗ କରିବା । ସେ ଆହୁରି କହିଥିଲେ ଯେ, ସେ ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଯେ, ଆମର ସମସ୍ତ ପ୍ରୟାସ ବୈଜ୍ଞାନିକ ଏବଂ ପ୍ରମାଣ-ଆଧାରିତ ହେବା ଆବଶ୍ୟକ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚିକିତ୍ସା ପରାମର୍ଶ ସହିତ ମାନବ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରକୃତିର ଅବଦାନ ବିଷୟରେ ସଚେତନତା ବୃଦ୍ଧି କରିବା । ମନୋଜ ହେଲଥ୍ କ୍ଲବର ପରିଚାଳନା ନିର୍ଦ୍ଦେଶକ ଇଂ. ମଲ୍ଲିକ ତାଙ୍କ ବକ୍ତବ୍ୟରେ ହୃଦ ରୋଗକୁ ନେଇ ବିଶେଷ ଆଲୋଚନା କରିବା ସହିତ ସୁସ୍ଥ ଜୀବନଶୈଳୀ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଷ୍ଟ୍ରୋକ୍ ବିଷୟରେ ବିଶେଷ ଉପସ୍ଥାପନା କରିବା ସହ ଆମର ସ୍ୱାସ୍ଥ୍ୟ ନେଇ ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ଖାଲି ପାଦରେ ମାଟିରେ ଚାଲିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଥିଲେ । ସେହିପରି ପନିପରିବାରୁ ବିଷକ୍ରିୟା ଦୂର ପାଇଁ ପରିବାକୁ ୨୦ ମିନିଟ୍ ଲୁଣ ପାଣିରେ ବୁଡାଇ ତାପରେ ବାହାର କରି ଭାଜିବା ଆବଶ୍ୟକ ବୋଲି ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଥିଲେ । ଏହା ସହ ପ୍ରାତଃ ଭୋରରୁ ଶଯ୍ୟା ତ୍ୟାଗ, ରାତିରେ କମ୍ ଖାଦ୍ୟ ଓ ୯ ଟା ମଧ୍ୟରେ ଖାଦ୍ୟ ଗ୍ରହଣ, ଜଙ୍କ୍‌ ଫୁଡ୍ ଓ ମଇଦା ଜାତୀୟ ଖାଦ୍ୟରୁ ଦୂରେଇ ରହିବା, ଦୈନିକ ଅଦା ଓ ରସୁଣ ପାଖୁଡ଼ାଏ ଚୋବେଇବା, ସୁନ୍ଦର ଶ୍ରୁତି ମଧୁର ସଂଗୀତ ଶୁଣିବା, ଆମିଷ ଖାଦ୍ୟରେ ଆବଶ୍ୟକ ହେଉଥିବା ପ୍ରୋଟିନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ଦିର କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲାବେଳେ ଶେଷରେ ପୀତାମ୍ବର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ଦ୍ୱାରା ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା ।

Leave A Reply

Your email address will not be published.