
ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ରାଜକୋଷ ପାଇଁ ଆର୍ଥିକ ଦୃଷ୍ଟିରୁ କେନ୍ଦୁପତ୍ର ବ୍ୟବସାୟ ଏକ ସ୍ଵତନ୍ତ୍ର ପୃଷ୍ଠଭୂମି ରଖି ଆସିଥିବା ବେଳେ ଏବେ ତାହା ଅଣାୟତ୍ତ ହେବାକୁ ବସିଲାଣି । ଲଘୁ ବନଜାତ ଦ୍ରବ୍ୟ ଗୋଷ୍ଠୀ ହାତକୁ ଟେକି ଦେବା ପରେ ଅନ୍ତଃ ରାଜ୍ୟ ଦଲାଲମାନଙ୍କ ପ୍ରବେଶ ଫଳରେ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ହାନି ସହିତ ଲଡୁ ଗାଁ ରେଞ୍ଜରେ କାର୍ଯ୍ୟରତ ୧୨୩ଜଣ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ଦେଖି ଆଜି ରେଞ୍ଜ ଅଫିସ ସମ୍ମୁଖରେ ସମସ୍ତ ଅସ୍ଥାୟୀ କର୍ମଚାରୀ ଧାରଣାରେ ବସି ପ୍ରତିବାଦ କରିଥିବା ସୂଚନା ମିଳିଛି । ଲଘୁ ବନଜାତ ଦ୍ରବ୍ୟ ଏକ୍ଟ ୨୦୦୬ ଲାଗୁ ହେବାପରେ ବିଭିନ୍ନ ଗୋଷ୍ଠୀଙ୍କୁ ଏହି ଆଇନର ପରିସର ମଧ୍ୟକୁ ଆଣିବା ପରେ ବିଶେଷ କରି କେନ୍ଦୁପତ୍ର ବ୍ୟବସାୟ ପ୍ରଭାବିତ ହୋଇଥିବା ଅଭିଯୋଗ ଆସିଛି । ପୂର୍ବରୁ ସଂପୃକ୍ତ ବିଭାଗ ଦ୍ୱାରା ରେଞ୍ଜ ଅଧୀନରେ ଥିବା ୪୭ଟି ଫଡ଼ି କାର୍ଯ୍ୟକ୍ଷମ ହୋଇ ହଜାର ହଜାର ମହିଳା କେନ୍ଦୁପତ୍ର ତୋଳା କାର୍ଯ୍ୟରେ ନିୟୋଜିତ ହୋଇ ନିଜର ଜୀବିକା ସହିତ ରାଜ୍ୟ ରାଜ କୋଷକୁ ମଧ୍ୟ ସମୃଦ୍ଧ କରିବାରେ ସହାୟକ ହେଉଥିଲେ । ଏବେ ଗୋଷ୍ଠୀ ହାତରେ ବିଭିନ୍ନ ଅଞ୍ଚଳର ସୀମା ନିର୍ଦ୍ଧାରଣ ନ ହୋଇ ପତ୍ର ତୋଳାରେ ସେମାନଙ୍କ ଅନୁପ୍ରବେଶ ହେତୁ ବିଭିନ୍ନ ସମୟରେ କଳହ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ବିଭିନ୍ନ ଗୋଷ୍ଠୀଙ୍କ ଦ୍ୱାରା ସଂଗୃହୀତ ଶୁଖିଲା ଓ କଞ୍ଚା କେନ୍ଦୁପତ୍ରକୁ ବେଆଇନ ଭାବରେ ବିକ୍ରୀ କରୁଥିବା ବେଳେ ଅନେକ ସ୍ଥଳୀରେ ସରକାରଙ୍କୁ ମଧ୍ୟ ବାଣିଜ୍ୟ କର ହରାଇବାକୁ ପଡ଼ୁଥିବା ଅଭିଯୋଗ ଆସୁଛି । ଅନ୍ତଃ ରାଜ୍ୟ ଦଲାଲମାନେ ଅଞ୍ଚଳର ଶାନ୍ତ ପରିପାଟୀକୁ ନଷ୍ଟ କରିବା ସହ କୌଣସି କଟକଣା କାର୍ଯ୍ୟକାରୀ ହେଉ ନ ଥିବାରୁ ଭବିଷ୍ୟତରେ ଏହି ଅର୍ଥକାରୀ ଯୋଜନା କେବଳ ଦଲାଲମାନଙ୍କ ହାତରେ ହିଁ ସୀମିତ ରହିବ ବୋଲି ଆଲୋଚନା ହେଉଛି । ଗତବର୍ଷ କେନ୍ଦୁପତ୍ର ଲଡୁ ଗାଁ ରେଞ୍ଜ ଦ୍ୱାରା ୭୨ଲକ୍ଷ କେରୀ କେନ୍ଦୁପତ୍ର ସଂଗୃହିତ ହୋଇଥିବା ଜଣା ପଡ଼ିଥିବା ବେଳେ ତଦନୁରୂପ ଗଛକଟା ବାବଦରେ ମଧ୍ୟ ଖର୍ଚ୍ଚ ହୋଇଥିଲା । ଏବେ ଗୋଷ୍ଠୀ ଓ ବିଭାଗ ମଧ୍ୟରେ ସୀମା ନିର୍ଦ୍ଧାରଣ ନ ଥିବାରୁ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସମଗ୍ର କେନ୍ଦୁପତ୍ର ସଂସ୍ଥା ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୧୨୩ଜଣ ଅସ୍ଥାୟୀ କର୍ମଚାରୀ ତାଙ୍କର ନ୍ୟାୟିକ ପ୍ରାପ୍ୟକୁ ନେଇ ଆଜି ଜୟପାଟଣା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।