mahavir

ନୂଆପଡା କୁରେଶ୍ୱର ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତର ଉଦ୍ୟାନବନ୍ଧ ଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କୋମନା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡାଃ ଧନେଶ୍ୱର ସେଠୀ, ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର ବିଡିଓ ପବିତ୍ର କୁମାର ସାମଲ, ତହସିଲଦାର ସର୍ବେଶ୍ୱର ଜାଲ ଓ ସ୍ଥାନୀୟ ସରପଞ୍ଚ ସତ୍ୟବାନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ ଜଣାଇ ସଭାପରିଚାଳନା କରିଥିଲେ । ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶ୍ରମିକ, କୃଷକ ଓ ମହିଳାମାନଙ୍କ ପାଇଁ ରହିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ଏହି ଅବସରରେ “ଝିଅ ପାଇଁ ଗଛଟିଏ” ଓ “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ନବଜାତ କନ୍ୟା ଶିଶୁ ରୀୟଂଶିଙ୍କୁ କୋଳରେ ଧରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ତାଙ୍କ ପିତାମାତାଙ୍କୁ ଉପହାର ସହିତ ବୃକ୍ଷ ଚାରା ପ୍ରଦାନ କରିଥିଲେ । ଗର୍ଭବତୀ ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ, ଫଳମୂଳ ଓ ଅନ୍ୟାନ୍ୟ ଉପହାର ବଣ୍ଟନ କରାଯାଇଥିଲା । ସ୍ଥାନୀୟ ଶିଶୁ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ମାଧ୍ୟମରେ ପ୍ରବାସୀ ଶ୍ରମିକ ନିରାକରଣ ଓ ସରକାରୀ ଯୋଜନା ସମ୍ପର୍କିତ ସଚେତନତା ସୃଷ୍ଟି କରାଯାଇଥିଲା । ସଭାକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲାରେ ବହୁତ ଜନମଙ୍ଗଳକାରୀ ଓ କର୍ମନିଯୁକ୍ତି ଯୋଜନା ଉପଲବ୍ଧ ଅଛି । ଗ୍ରାମବାସୀମାନେ ପ୍ରବାସୀ ଶ୍ରମିକ ଭାବେ ବାହାରକୁ ନଯାଇ ସ୍ଥାନୀୟ ସୁଯୋଗର ଲାଭ ଉଠାଇବାକୁ ସେ ଆହ୍ୱାନ କରିଥିଲେ । ସେ ଛୋଟ ପିଲାମାନଙ୍କୁ ଶିଶୁ ଶ୍ରମିକ ଭାବେ ନିୟୋଜିତ ନକରି ସ୍କୁଲକୁ ପଠାଇବାକୁ ଓ ଗାଁକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ପରାମର୍ଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ ‘ମା’, ‘ମାତୃଭାଷା’ ଓ ‘ମାତୃଭୂମି’କୁ କେବେ ଭୁଲିବା ଉଚିତ୍ ନୁହେଁ । ସମସ୍ତଙ୍କୁ ଦଲାଲମାନଙ୍କ ଠାରୁ ଦୂରେ ରହି ସିଧାସଳଖ ବିଭାଗ ସହ ଯୋଗାଯୋଗ କରି ବିଭିନ୍ନ କଳ୍ୟାଣମୂଳକ ଯୋଜନାର ଲାଭ ଉଠାଇବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମନରେଗାରେ ୧୦୦ ଦିନରୁ ଅଧିକ କାମ କରିଥିବା ଶ୍ରମିକମାନଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରମ ବିଭାଗ ପକ୍ଷରୁ ରେଖାରାମ ଅହିର ଓ ପୂର୍ଣ୍ଣିମା ମାଝୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବିବାହ ସହାୟତା ପ୍ରଦାନ କରାଯାଇଥିଲା । ଚନ୍ଦ୍ର କୁମ୍ଭାର, କଶ୍ୟପ ସାଗରିଆ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ “ସ୍ୱଚ୍ଛତା ଦୂତ” ସମ୍ମାନରେ ସମ୍ମାନିତ କରାଯାଇଥିଲା । “ପକ୍ଷୀ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅବସରରେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ, ଜଳ ଓ ବାସସ୍ଥାନ ବ୍ୟବସ୍ଥା କରାଯାଇଥିଲା । ଶେଷରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ପ୍ରବାସୀ ଶ୍ରମିକ ଜଳନ୍ଧର ବେମାଲଙ୍କ ଘରକୁ ପରିଦର୍ଶନ କରି ତାଙ୍କ ପରିବାର ସହ ଆଲୋଚନା କରିଥିଲେ ଓ ବିଭିନ୍ନ ସରକାରୀ ଯୋଜନାର ଲାଭ ନେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କୋମନା ବିଡିଓ, ତହସିଲଦାର, ପଞ୍ଚାୟତିରାଜ ବିଭାଗ ଓ ଜଙ୍ଗଲ ବିଭାଗର ସମନ୍ୱୟରେ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.